ପଙ୍କରେ ପଦ୍ମ ସଦୃଶ ଆଦିବାସୀ ଝିଅ ଅନୁପ୍ରିୟାଙ୍କ ସଫଳତା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ ମାଲକାନାଗିରି ଜିଲ୍ଲା । ଦାରିଦ୍ର୍ୟ, ଅଶିକ୍ଷା, ଅବହେଳାକୁ ନେଇ ସବୁବେଳେ ଜିଲ୍ଲାଟି ଚର୍ଚ୍ଚାରେ ରହୁଥିବା ବେଳେ ତାର ଗୋଟିଏ ଝିଅ ଏବେ ଆକାଶର ଉଚ୍ଚତାକୁ ଛୁଇଁବାକୁ ଉଦ୍ୟମ କରିି ଆକାଶରେ ପକ୍ଷୀଟିଏ ପରି ଉଡି ଚର୍ଚ୍ଚାରେି । ଏହି ଝିଅଟି ହେଉଛନ୍ତି ଅନୁପ୍ରିୟା ଲାକ୍ରା । ସେ ପ୍ରଥମ ଆଦିବାସୀ ଝିଅ ଯିଏ ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି । ମାଲକାନାଗିରି ସଦର ମହକୁମା ସ୍ଥିତ ଡ଼ିଏନକେ କଲୋନୀରେ ଜଣେ ହାବିଲଦାରଙ୍କ ଝିଅ ଅନୁ । ମାଲକାନାଗିରିରେ ପ୍ରାରମ୍ଭିକ ଶିକ୍ଷା ଲାଭ ପରେ ଭୁବନେଶ୍ୱରରେ ଇଂଜିନିୟରିଂ କରିଥିଲେ ଅନୁ।
ପିଲାଦିନର ଆକାଶରେ ଉଡିବାର ସୁନେଲି ସ୍ୱପ୍ନ ଦେଖିଥିଲେ । ସ୍କୁଲ ଶିକ୍ଷା ପରେ ଇଂଜିନିୟରିଂରେ ନାମ ଲେଖାଇଥିଲେ । କିନ୍ତୁ ଏଥିରେ ତାଙ୍କ ସ୍ୱପ୍ନ କେଉଁଠି ହଜିଯିବ ଅନୁଭବ କରି ସେ ଇଂଜିନିୟରିଂକୁ ଅଧାରେ ଛାଡି ପାଇଲଟ ତାଲିମ ନେଇଥିଲେ । ତାଲିମ ପରେ ସେ ପାଇଲଟ ପରୀକ୍ଷାରେ କୃତକାର୍ଯ୍ୟହୋଇ ୨୦୧୨ରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ । ତାଲିମ ପରେ ଏକ ଘରୋଇ କମ୍ପାନୀରେ କୋ ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି ଅନୁ । ଖୁବ ଶୀଘ୍ର ସେ ସିଙ୍ଗାପୁରରେ ଯୋଗଦେଇ ଆକାଶର ଉଚ୍ଚତାକୁ ମାପିବେ । ତାଙ୍କ ପିଲାଦିନର ସ୍ୱପ୍ନ ସାକାର ହେବାକୁ ନେଇ ସେ ଯେତିକି ଖୁସି ନାହାନ୍ତି, ତାଠାରୁ ଅଧିକ ଖୁସି ମାଲକାନଗିରିର ଜନତା ।