ସାରା ରାଜ୍ୟରେ ଚହଳ ପଡିଛି ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହୁତି ଘଟଣା । ଉଚିତ ନ୍ୟାୟ ଦାବି ନେଇ ରାଜରାସ୍ତାରେ ଗର୍ଜନ କରୁଛନ୍ତି ବିରୋଧିୀ । ମାମଲାର ମହୋଲରେ ଏବେ ସାମ୍ନାକୁ ଆସିଛି ସେହିଭଳି ଆଉ ଏକ ଘଟଣା । ଆଉ ଜଣେ ନାରୀ ମଧ୍ୟ ସରକାରଙ୍କୁ ନିଜ ଜୀବନ ହାରିବା ନେଇ ଧମକ ଦେଇଛନ୍ତି । ସେ ମଧ୍ୟ ଟ୍ୱିଟର ମାଧ୍ୟମରେ ‘ଏକ୍ସ’ ଆକାଉଣ୍ଟ୍ରେ ସିଏମ୍ଓ-ଓଡ଼ିଶାକୁ ଟ୍ୟାଗ୍ କରି ନିଜ ଅଭିଯୋଗ ଜଣାଇ ସମାଧାନ ପାଇଁ ଦାବି କରିଛନ୍ତି । ସମାଧାନ ନ କଲେ ନିଜର ଜୀବନ ହାରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ୍ରେ ଚାକିରି କରୁଥିଲେ। ସେଠାରେ ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ଚାକିରିରେ ରଖିଥିଲେ। ଯାହାକୁ କିଛି ଯୁବପିଢ଼ି ବିରୋଧ କରି ଆସୁଥିଲେ। ବ୍ୟକ୍ତି ଜଣକ ପୁନଃନିଯୁକ୍ତି ପାଇବା ପରେ ଯେତେବେଳେ ଅଫିସ୍କୁ ଆସିଲେ ତ କିଛି କର୍ମଚାରୀ ତାଙ୍କ ଚେୟାର୍ ଲୁଚାଇଦେଲେ। ସେତେବେଳେ ମହିଳାଙ୍କ ସ୍ୱାମୀ ବ୍ୟାଙ୍କ୍ରେ ଷ୍ଟୋର୍-ଇନ୍ଚାର୍ଜ ଥିଲେ। ସେହି ମାମଲାରେ ତାଙ୍କ ସ୍ବାମୀଙ୍କ ମୁଣ୍ଡରେ ଦୋଷ ଲଦି ଦିଆଗଲା। ତାଙ୍କୁ ସିସିଟିଭି ଟ୍ୟାମ୍ପରିଂ ମାମଲାରେ ଯୋଡ଼ିଲେ। ତାଙ୍କୁ ଦ୍ବିଗୁଣା ଦାୟିତ୍ବ ଦେଲେ। ତାଙ୍କୁ ୨ ବର୍ଷ ଭିତରେ ୫ ଥର ବଦଳି କରାଇଛନ୍ତି ବୋଲି ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି ।

ବ୍ୟାଙ୍କ୍ର ସଭାପତି ହେଉଛନ୍ତି ବିଜୁ ଜନତା ଦଳର ଜଣେ ପରୁଖା ନେତା। ଯିଏ ତାଙ୍କ ବିରୋଧରେ ଯାଆନ୍ତି; ସେ ତାଙ୍କର ବଦଳି କରିଦିଅନ୍ତି କିମ୍ବା ଅନ୍ୟାନ୍ୟ ସମସ୍ୟା କରନ୍ତି। ଅଭିଯୋଗକାରୀ ମହିଳାଙ୍କ ସ୍ବାମୀଙ୍କୁ ବହୁତ ମାନସିକ ନିର୍ୟାତନା ଦିଆଯାଇଛି। ନିକଟରେ ଜୁନ୍ ୧୩ ତାରିଖରେ ତାଙ୍କୁ ବହିଷ୍କୃତ କରାଯାଇଛି। ଏନେଇ ମହିଳା ଜଣକ ଜିଲ୍ଳାପାଳଙ୍କ ନିକଟକୁ ପୋଷ୍ଟାଲ୍ ଯୋଗେ ଅଭିଯୋଗ ପତ୍ର ପଠାଇଥିଲେ। ଫେବ୍ରୁଆରି ୧୭ ତାରିଖରେ ଟ୍ବିଟ୍ ବି କରିଛନ୍ତି। ହେଲେ ଫଳାଫଳ ଶୂନ। ସରକାର ଅସୁବିଧା ନ ବୁଝିବାରୁ ସେ ବାଧ୍ୟ ହୋଇ ପୁଣି ଥରେ ସମସ୍ୟାକୁ ବୁଧବାର ରାତିରେ ପୋଷ୍ଟ୍ ଜରିଆରେ ଜଣାଇଛି। ଏବଂ ଏବଂ ନ୍ୟାୟ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି । ଆଉ ଯଦି ନ୍ୟାୟ ନ ମିଳେ ତେବେ ସେ ସୈାମ୍ୟାଶ୍ରୀ ବିଶିଙ୍କ ଭଳି ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି ।