SI କେଳେଙ୍କାରୀ: ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ

SI Scam: ପୋଲିସ ଏସଆଇ ନିଯୁକ୍ତି ସ୍କାମ ମାମଲାରେ ଆଉ ଜଣେ ଗିରଫ । ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ । ଶଙ୍କର ପୃଷ୍ଟିର କେୟାରଟେକର୍ ସାଗର ଗୌଡ଼କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର । ଦୀଘା ମଡ଼୍ୟୁଲକୁ ଅପରେଟ କରୁଥିଲା ସାଗର । ଗତକାଲି ମାମଲାର ସିବିଆଇ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗରେ ରହିଛି ସିବିଆଇ ।

୨୨ ବର୍ଷୀୟ ସାଗର ଗୌଡ଼ା ଗଞ୍ଜାମ ଜିଲ୍ଲାର ବାଲିପଡ଼ା ଅଞ୍ଚଳର ବାସିନ୍ଦା ଥିବାବେଳେ, ସେ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ କ୍ୟାମ୍ପସରେ ରହୁଥିଲା । ତଦନ୍ତକାରୀମାନେ ପ୍ରକାଶ କରିଛନ୍ତି ଯେ, ଗୌଡ଼ା ଏହି ନକଲି ନେଟୱାର୍କ ପାଇଁ ଲଜିଷ୍ଟିକାଲ୍ ଏବଂ ଗ୍ରାଉଣ୍ଡ ବ୍ୟବସ୍ଥାକୁ ପରିଚାଳନା କରୁଥିଲେ । ସେ ସେପ୍ଟେମ୍ବର ୨୯ ତାରିଖରେ ଦୀଘା ଯାଇଥିଲେ, ଯେଉଁଠାରେ ଅନ୍ୟ ଜଣେ ଅଭିଯୁକ୍ତ ଅରବିନ୍ଦ ଦାସ ଦୁର୍ନୀତିରେ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ସୁବିଧା ଦେବା ପାଇଁ ହୋଟେଲ୍ ବ୍ୟବସ୍ଥା କରିଥିଲେ । ଗୌଡ଼ାଙ୍କ ଭୂମିକା ଥିଲା ଦୀଘାରେ ‘ଗୁପ୍ତ କାର୍ଯ୍ୟକଳାପ’ର ତଦାରଖ କରିବା ଏବଂ ସେ ସିଧାସଳଖ ଶଙ୍କର ପୃଷ୍ଟିଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିଲେ ।

ସେପଟେ ଏସ୍‌ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି(୩୨) ସମେତ ୬ଜଣ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ୧୩ ତାରିଖରେ ହେବ ବୋଲି ଜଣାଯାଇଛି। SI ଚାକିରି ଦୁର୍ନୀତିରେ ୧୧୪ ଜଣ ଜାମିନ ପାଇଛନ୍ତି। ଏ ଘଟଣାକୁ ପ୍ରଥମେ ଗଞ୍ଜାମ ପୋଲିସ ପର୍ଦ୍ଦାଫାସ କରିବା ପରେ, ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ୍ ଏହାର ତଦନ୍ତ ଦାୟିତ୍ବ ନେଇଥିଲା। ଏବେ ସିବିଆଇକୁ ମାମଲା ଯିବା ପରେ ତଦନ୍ତ ପ୍ରକ୍ରିୟା ଆହୁରି ଯୋରଦାର ହେବା, ସହ ଏହା ପଛରେ କେଉଁ ବଡ଼ ଅଧିକାରୀଙ୍କ ସଂପୃକ୍ତି ଅଛି, ଓପିଆରବିର ଭୂମିକା କଣ, ସେସବୁ କଥା ସାମ୍ନାକୁ ଆସିବା ଅନୁମାନ କରାଯାଉଛି।