(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିହାରର ଡନ ତଥା ଛୋଟେ ସରକାର ନାମରେ ପରିଚିତ ମୋକାମା ଅଞ୍ଚଳର ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରେ । କାରଣ ତାଙ୍କ ଘରୁ କିଛି ମାରଣାସ୍ତ୍ର ମିିଳିବା ପରେ ତାଙ୍କ ନାମରେ ଆତଙ୍କବାଦୀ ଲାଗିପାରେ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ଅନନ୍ତ ସିଂହଙ୍କ ଘର ଉପରେ ପୁଲିସ ଚଢ଼ାଉ ବେଳେ ତାଙ୍କ ଘରୁ ଏକେ-୪୭ ରାଇଫଲ ଓ ହେଡ ଗ୍ରେନେଡ ଜବତ କରାଯାଇଥିଲା । ୟୁଏପିଏ ଆଇନ ଅନୁଯାୟୀ ସରକାର ତାଙ୍କୁ ଆତଙ୍କବାଦୀ ଘୋଷଣା କରିପାରେ । ଏହି ଘଟଣାରେ ବାଢ଼ ଥାନାରେ ଅନନ୍ତ ସିଂହ ଓ କେୟାରଟେକର ସୁନିଲ ରାମଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥି ସହିତ ସୁନିଲକୁ ପୁଲିସ ଗିରଫ କରିଛି ।
ସୂଚନାଯୋଗ୍ୟ ୟୁଏପିଏ ଆଇନ ୧୯୬୭ରେ ଗୃହୀତ ହୋଇଥିଲା । ଏହି ଆଇନ ଅନୁଯାୟୀ ଯଦି କୌଣସି ସଂଗଠନ ଦେଶର ସ୍ୱାର୍ଥ ବିରୋଧୀ କାମ କରିଥାଏ, ତାକୁ ବେଆଇନ ଘୋଷଣା କରାଯାଇଥାଏ । ନିକଟ ଅତୀତରେ କେନ୍ଦ୍ର ଏହି ଆଇନକୁ ସଂଶୋଧନ କରିଥିଲେ । ଏହି ନୂତନ ଆଇନ ଅନୁସାରେ ଆତଙ୍କବାଦୀ ଗତିବିଧି ସହିତ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରିବ ।