ଆଜି ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ବିମାନ ଉଡ଼ାଣ ନିଷିଦ୍ଧ

(ରିପୋର୍ଟସ ଟୁଡ଼େ) ନୂଆଦିଲ୍ଲୀ: ଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ଣ ୪ଟା ସୁଦ୍ଧା ଭାରତରେ ସମସ୍ତ ବୋଇଙ୍ଗ୍ ୭୩୭ ମ୍ୟାକ୍ସ୍ ୮ ବିମାନ ଉଡ଼ାଣ ନିଷିଦ୍ଧ କରାଯିବା କଥା ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ କାର୍ୟ୍ୟାଳୟର ଜଣେ ଅଧିକାରୀ କହିଛନ୍ତି।
ଏହି ବିମାନ ଉଡ଼ାଣ ନିଷିଦ୍ଧ କରିବା ଲାଗି ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଭାରତ ନିର୍ଦେଶ ଦେଇଥିଲା। କିନ୍ତୁ ଆଜି ଫ୍ଲାଇଟ୍ ଟ୍ରାଙ୍କିଗ୍ରୁ ଦେଖାଗଲା ସ୍ପାଇସ୍ ଜେଟ୍ ବି୭୩୭ ମ୍ୟାକ୍ସ୍ ବୁଧବାର ସକାଳେ ମଧ୍ୟ ଉଡ଼ାଣ କରୁଛି।
ଡିଜିସିଏର ମୁଖ୍ୟ ବିଏସ୍ ଭୁଲାରଙ୍କୁ ପଚରା ଯିବାରୁ ସେ କହିଲେ କି, ପରିସ୍ଥିତି ଯୋଗୁଁ ଏ ପରି ଘଟିଥାଇ ପାରେ। କେତେକ ସ୍ଥାନରୁ ଭାରତକୁ ଉକ୍ତ ବିମାନ ସବୁ ଫେରୁଥିଲେ କିଂବା ପାର୍କିଙ୍ଗ୍ ନିମନ୍ତେ ଯାଉଥିବେ। ରବିବାର ସକାଳେ ୧୫୭ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିବାର ଅଳ୍ପ କ୍ଷଣ ପରେ ଇଥିଓପୀୟ ଏୟାର୍ଲାଇନ୍ସ୍ର ଗୋଟାଏ ବୋଇଙ୍ଗ୍ ୭୩୭ ମ୍ୟାକ୍ସ୍ ୮ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଯାତ୍ରୀମାନଙ୍କର ସୁରକ୍ଷାକୁ ଆମେ ପ୍ରାଧାନ୍ୟ ଦେଇ ଆସିଛୁ। ଏଥିପାଇଁ ଆମେ ସମଗ୍ର ବିଶ୍ୱର ରେଗୁଲେଟର୍, ବିମାନ ଚଳାଚଳ ସଂସ୍ଥାନ ଏବଂ ବିମାନ ନିର୍ମାତାଙ୍କ ସହ ଉତ୍ତମ ପରାମର୍ଶ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି।