(ମୁମ୍ବାଇ ): ଦେଶରେ ଦ୍ରୁତ ଗତି ବଢ଼ି ଚାଲିଛି କରୋନା ସଂକ୍ରମଣ। ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ କୋଭିଡ-୧୯ର ପ୍ରଭାବ ବେଶ ପଡିଥିବା ଦେଖିବାକୁ ମିଳିଛି। ଗତକାଲି ଅକ୍ଷୟ କୁମାର ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଯେ, ସେ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେ ଘର କ୍ବାରେଣ୍ଟାଇନ୍ରେ ଅଛନ୍ତି। ତେବେ ଆଜି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେ କେନ୍ଦ୍ରୀୟ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅକ୍ଷୟ କୁମାର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଅକ୍ଷୟ ଲେଖିଛନ୍ତି – ଆପଣମାନଙ୍କର ପ୍ରାର୍ଥନାର ପ୍ରଭାବ ଦେଖିବାକୁ ମିଳିଛି। ମୁଁ ସୁସ୍ଥ ଅନୁଭବ କରୁଛି କିନ୍ତୁ କିଛି ଚିକିତ୍ସା ଆବଶ୍ୟକତା କାରଣରୁ ମୁଁ ଡାକ୍ତରଖାନାରେ ଭର୍ତ୍ତି ହେଉଛି । ମୁଁ ଶୀଘ୍ର ଘରକୁ ଫେରିବି । ନିଜର ଧ୍ୟାନ ରଖନ୍ତୁ।’
ସୂଚନାଯୋଗ୍ୟ ଯେ, ରବିବାର ଅକ୍ଷୟ କୁମାର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କର ଫିଲ୍ମ ରାମ ସେତୁ ସେଟରୁ ୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତେ ଏବେ କ୍ଵାରେଣ୍ଟାଇନରେ ଅଛନ୍ତି। ତେବେ ରାମ ସେତୁ ସେଟରୁ ଏତେ ବଡ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଫିଲ୍ମ ପାଇଁ ଏହା ବାଧା ସୃଷ୍ଟି କରିଛି ।