ସୋର: ସେନାରେ ସାମିଲ ହୋଇ ଦେଶର ସୁରକ୍ଷା କରିବା ଲାଗି ଦୀର୍ଘ ୪ ବର୍ଷ ହେଲା ନିଜକୁ ପ୍ରସ୍ତୁତ କରୁଥିଲେ ଧନଞ୍ଜୟ। ସେନାରେ ଭର୍ତି ହେବା ଲାଗି ସ୍ୱପ୍ନ ଦେଖିଥିଲେ। ତେବେ ଅଗ୍ନିପଥ ଯୋଜନାକୁ ବିରୋଧ କରି ସୋର ଦୟାନିଧିପୁର ଗାଁର ଯୁବକ ଧନଞ୍ଜୟ ମହାନ୍ତି ଆତ୍ମହତ୍ୟା କରିଛନ୍ତି। ସେନାରେ ନିଯୁକ୍ତି ଲାଗି ପୂର୍ବରୁ ଶାରୀରିକ ପରୀକ୍ଷା, ମେଡିକାଲ ପରୀକ୍ଷା ଭଳି ସମସ୍ତ ପ୍ରକାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାଛଡା ଲିଖିତ ପରୀକ୍ଷାଟି ବାରମ୍ବାର ଘୁଞ୍ଚିବା ସହିତ ବାତିଲ ହୋଇଯିବାରୁ ଧନଞ୍ଜୟ ମାନସିକ ଭାରସାମ୍ୟ ହରାଇଥିଲେ। ଏହାଛଡା ଅଗ୍ନିପଥ ଯୋଜନାକୁ ନେଇ ମଧ୍ୟ ଧନଞ୍ଜୟ ହତୋତ୍ସାହିତ ହୋଇପଡିଥିଲେ। ତେଣୁ ତାଙ୍କୁ ଆଉ ଆଗକୁ ସୁଯୋଗ ନମିଳିବାର ଆଶଙ୍କା କରି ଭାଙ୍ଗି ପଡିଥିଲେ। ତେବେ ୟୁପି ଓ ବିହାର ଭଳି ରାଜ୍ୟର ଯୁବକଙ୍କ ଆତ୍ମହତ୍ୟା ଖବର ଶୁଣି ଧନଞ୍ଜୟ ବିଚଳିତ ହୋଇପଡିଥିଲେ। ଫଳରେ ଗୁରୁବାର ରାତିରେ ନିଜ ଘରେ ଦଉଡି ଦେଇଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ।