ଜଗଦୀପ ଧନଖଡ ଇସ୍ତଫା ଦେବା ପରେ ନୀତିଶ ପରାଷ୍ଟ୍ରପତି ହେବା ନେଇ ବଢିଲା ଚର୍ଚ୍ଚା

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ ଇସ୍ତଫା ଦେବା ପରେ ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ବିହାରରୁ ଉପରାଷ୍ଟ୍ରପତି ପଦକୁ ନେଇ ଦାବି ହେଉଛି । ବିଜେପି ବିଧାୟକ ହରିଭୂଷଣ ଠାକୁର ବାଚୈାଲ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଉପରାଷ୍ଟ୍ରପତି କରିବାକୁ ଦାବି କରିଛନ୍ତି । ସେପଟେ ନୀତିଶଙ୍କ ଉପରାଷ୍ଟ୍ରପତି ହେବା ଦାବି ପରେ ରାଜନୈତିକ ଉଷ୍ମତା ବଢିଛି । କାରଣ ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଉପରାଷ୍ଟ୍ରପତି କରିବା ଦାବିରୁ ଅନେକ ଅର୍ଥ ବାହାର କରାଯାଉଛି। ତଥାପି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ବୟାନ ଆସିନାହିଁ।


ବିଜେପି ବିଧାୟକ ହରିଭୂଷଣ ଠାକୁର ବାଚୌଲ କହିଛନ୍ତି ଯେ ଯଦି ନୀତିଶ କୁମାରଙ୍କୁ ଉପରାଷ୍ଟ୍ରପତି କରାଯାଏ। ତେବେ ଏହାଠାରୁ ଭଲ ଆଉ କ’ଣ ହୋଇପାରେ। ଏହା ବିହାର ପାଇଁ ଗର୍ବର ବିଷୟ ହେବ। ବିହାର ବିଧାନସଭା ଅଧିବେଶନରେ ଯୋଗ ଦେବା ପୂର୍ବରୁ ବିଜେପି ବିଧାୟକ ଏହା କହିଥିଲେ। ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ନେଇ ସମୟ ସମୟରେ ଅନେକ କଳ୍ପନାଜଳ୍ପନା ଏବଂ ଦାବି କରାଯାଉଛି। କିଛି ମାସ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଦାବି କରିଥିଲେ ଯେ ନୀତିଶ କୁମାର ଦେଶର ଉପପ୍ରଧାନମନ୍ତ୍ରୀ ହେବା ଉଚିତ। ସେତେବେଳେ ମଧ୍ୟ ଚୌବେଙ୍କ ବୟାନରୁ ଅନେକ ଅର୍ଥ ବାହାର କରାଯାଇଥିଲା। ତଥାପି, ମୁଖ୍ୟମନ୍ତ୍ରୀ ନୀତିଶ ଏଥିରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ପୂର୍ବରୁ କହିସାରିଛି ଯେ ଏହା ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ।


ସୋମବାର ସନ୍ଧ୍ୟା ପ୍ରାୟ ୯ଟାରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ତାଙ୍କ ଇସ୍ତଫାପତ୍ର ସାର୍ବଜନୀନ କରିଥିଲେ। ଏହା ପଛରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ। ଇସ୍ତଫାପତ୍ରରେ ସେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଏହି ହଠାତ୍ ଇସ୍ତଫା ପରେ ରାଜନୈତିକ କରିଡରରେ ଅନେକ ପ୍ରକାରର ଖବର ଚାଲିଛି। ଏହା ସହିତ ନୂତନ ଉପରାଷ୍ଟ୍ରପତିଙ୍କ ନାମକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଶେଷ କଥା ହେଉଛି ବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଲୋକମାନେ ନୂତନ ଉପରାଷ୍ଟ୍ରପତିଙ୍କୁ ବିହାର ସହିତ ମଧ୍ୟ ଯୋଡୁଛନ୍ତି।