ମୁମ୍ବାଇ: ଏ.ଆର୍.ରେହମାନ ତାଙ୍କୁ କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ ଏପରି ସ୍ତରରେ ଆଣି ପହଞ୍ଚାଇଛି । ସମୟ ଥିଲା ଯେତେବେଳେ ତାଙ୍କୁ ନିଜର ଷ୍ଟୁଡ଼ିଓ କରିବାକୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଥିଲା । ଏତେ ବର୍ଷର ସଂଘର୍ଷ ଓ ସାଧନା ବଳରେ ଆଜି ସେ ଏପରି ସ୍ତରରେ ପହଞ୍ଚି ପାରିଛନ୍ତି । ତେବେ ବର୍ତ୍ତମାନ ଏ.ଆର୍.ରେହମାନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି l
ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଦଶକ ତଥା କଣ୍ଠଶିଳ୍ପୀ ଏଆର୍ ରହମାନଙ୍କୁ ତାଙ୍କ ପତ୍ନୀ ସାଇରାବାନୁ ଛାଡପତ୍ର ଦେଇଛନ୍ତି । କାଲି ରାତିରେ ଏକ ପ୍ରେସ ବାର୍ତ୍ତାରେ ସାଇରା ଏହି ସୂଚନା ଦେଇଛନ୍ତି । ୨୯ ବର୍ଷ ତଳେ ରହମାନ ଓ ସାଇରାଙ୍କ ମଧ୍ୟରେ ବିବାହ ହୋଇଥିଲା । ଗତ କିଛି ଦିନ ହେଲା ସେମାନଙ୍କ ସଂପର୍କରେ ତିକ୍ତତା ଦେଖିବାକୁ ମିଳିଥିଲା । କଷ୍ଟ ଏବଂ ଯନ୍ତ୍ରଣା ପାଇବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସାଇଦା କହିଛନ୍ତି । ବର୍ତ୍ତମାନର ଜଟିଳ ସମୟରେ ଜନସାଧାରଣ ସେମାନଙ୍କ ଗୋପନୀୟତାକୁ ଗୁରୁତ୍ୱ ଦେବେ ଏବଂ ସେମାନଙ୍କୁ ବୁଝିବେ ବୋଲି ଅନୁରୋଧ କରିଛନ୍ତି ।
ରହମାନ ୧୯୯୫ରେ ସାଇରାଙ୍କୁ ବିବାହ କରିଥିଲେ । ଏକ ସୋ’ରେ ରହମାନ କହିଥିଲେ ଯେ ସାଇରାଙ୍କ ସହିତ ତାଙ୍କ ମା’ ବିବାହ ସ୍ଥିର କରିଥିଲେ । ନିଜ ପାଇଁ ଝିଅ ଖୋଜିବା ଲାଗି ତାଙ୍କ ନିକଟରେ ସମୟ ନଥିବାରୁ ମା’ଙ୍କ ପସନ୍ଦରେ ସେ ବିବାହ କରିଥିଲେ ବୋଲି କହିଥିଲେ। ରହମାନ ଓ ସାଇରାଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୁଅ ନାମ ଅମିନ୍ ରହମାନ ହୋଇଥିବାବେଳେ ଝିଅ ଦ୍ୱୟଙ୍କ ନାମ ଖତିଜା ଓ ରହିମା ।
ରହିମା ତାଙ୍କ ସୋସିଆଲ ମିଡିଆରେ କହିଛନ୍ତି ଯେ ‘ମୁଁ ଖୁସି ହେବି ଯଦି ଏହି ମାମଲାକୁ ସମ୍ମାନ ଏବଂ ଗୋପନୀୟତା ସହ ଟ୍ରିଟ କରାଯିବ । ଏହି କଥାକୁ ବୁଝିବା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ଏହା ସହି ଖତିଜା ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ‘ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଏହି କଷ୍ଟ ସମୟରେ ଆମର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ’ । ଦର୍ଶକମାନେ ଆମ କଥାକୁ ବୁଝିଥିବାରୁ ବହୁତ ଧନ୍ୟବାଦ ।