(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ବାୟୁ’ ଜୁନ ୧୩ରେ ଗୁଜୁରାଟ ଉପକୂଳ ଛୁଇଁବ । ତେଣୁ ନିକଟରେ ଓଡ଼ିଶା ସାମନା କରିଥିବା ବାତ୍ୟା ଫନି,ହୁଡ଼ହୁଡ଼, ତିତିଲି କୁ ଦୃଷ୍ଟିରେ ରଖି ଗୁଜୁରାଟ ଓଡ଼ିଶାର ପରାମର୍ଶ ଲୋଡ଼ିଛି ।ଆଜି ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ କଥା ହୋଇଛନ୍ତି ଗୁଜରାଟର ମୁଖ୍ୟ ଶାସନ ସଚିବ ଜେ.ଏନ୍. ସିଂହ ।
ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି,“ସାମୁଦ୍ରିକ ଝଡ଼ ‘ବାୟୁ’ର ମୁକାବିଲା ନେଇ ଗୁଜରାଟର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ। ଓଡ଼ିଶାଠାରୁ ଯଦି କୌଣସି ସାହାଯ୍ୟ ଦରକାର ହେବ, ତା’ହେଲେ ସେମାନେ ଆମକୁ କହିପାରିବେ ବୋଲି ମୁଁ ତାଙ୍କୁ କହିଛି। ପରିସ୍ଥିତି ଦେଖି ସାହାଯ୍ୟ ନେବେ ବୋଲି ସେ ମୋତେ କହିଛନ୍ତି। ‘ତିତଲି’ ଓ ‘ଫୋନି’ ମୁକାବିଲା ନେଇ ଆମ ପାଖରେ ଯେଉଁ ଅଭିଜ୍ଞତା ଥିଲା, ସେ ବିଷୟରେ ମଧ୍ୟ ଗୁଜରାଟ ମୁଖ୍ୟ ସଚିବ ମୋ ସହିତ ଆଲୋଚନା କରିଥିଲେ।”
ସାମୁଦ୍ରିକ ଝଡ଼ ମହାରାଷ୍ଟ୍ରରୁ ଉତ୍ତର ଦିଗରେ ଗୁଜୁରାଟ ଦିଗରେ ଅଗ୍ରସର ହେବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ବୁଲେଟିନ ଅନୁସାରେ ‘ବାୟୁ’ ଗୁଜୁରାଟ ଉପକୂଳ ପୋରବନ୍ଦର ଓ କଚ୍ଛ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବାର ଆଶା କରାଯାଉଛି । ଫଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ଅଧିକ ଉଗ୍ର ରୂପ ନେବାର ଆଶଙ୍କା କରାଯାଉଛି । ଗୁଜୁରାଟର ଅଧିକାରୀ ମାନେ ଓଡ଼ିଶାରେ ଗତ ମେ’ମାସ ୩ ତାରିଖରେ ଆସିଥିବା ବାତ୍ୟା ‘ଫୋନି’ ସମୟରେ ଯେଭଳି ଭାବରେ ମୁକାବିଲା କରାଯାଇଥିଲା, ତାହା ଅନୁସରଣ କରୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୈଠକ ଡାକି ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଛନ୍ତି । ବାୟୁ ଉତ୍ତର ଦିଗରେ ଅଗ୍ରସର ହେଉଛି ଏବଂ ଏହା ଜୁନ ୧୩ରେ ଉପକୂଳ ଓଡ଼ିଶା ଛୁଇଁବ । ବାୟୁ ପ୍ରଭାବରେ ଘଣ୍ଟା ପ୍ରତି ୧୧୦ ରୁ ୧୩୦ କିଲୋମିଟର ବେଗରେ ପବନ ବହିବ ।