ଅର୍ଚ୍ଚନାଙ୍କ ସତ୍ୟବିହାର ଆଲିସାନ୍ କୋଠାକୁ ଆଟାଚ କଲା ଇଡି

କୋଠାର ମୂଲ୍ୟ ପ୍ରାୟ ୩ କୋଟି ୪୦ ଲକ୍ଷ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଆକ୍ସନରେ ଇଡି। ୨୨ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ସହ ଅର୍ଚ୍ଚନାଙ୍କ ସମ୍ପତ୍ତି ଆଟାଚ୍ କରାଯାଇଛି। ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ଆଲିସାନ୍ କୋଠା ମଧ୍ୟ ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଭୁବନେଶ୍ୱର ସତ୍ୟବିହାର ସ୍ଥିତ କୋଠା ଆଟାଚ୍ କରିଛି ଇଡି। କୋଠାର ମୂଲ୍ୟ ପ୍ରାୟ ୩ କୋଟି ୪୦ ଲକ୍ଷ ହେବା ଆକଳନ ହୋଇଛି। କିଛି ଦିନ ତଳେ ଇଡି ସେହି କୋଠାକୁ ଯାଇ ମାପଚୁପ କରିଥିଲା। ସେପଟେ ଅର୍ଚ୍ଚନା ନାଗ ମାମଲାରେ ଇଡି ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ, ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଚାର୍ଜସିଟ୍ ଦିଆଯାଇଛି । ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ସେଥିରେ ରହିଛି । ଅର୍ଚ୍ଚନା ମାମଲାରେ ଇଡିର ଏହା ପ୍ରାଥମିକ ଚାର୍ଜସିଟ୍ । ଘଟଣାର ତଦନ୍ତ ଜାରି ରହିଛି । ଆସନ୍ତା ୩ ମାସ ଭିତରେ ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରାଯିବ ।

ତେବେ ବଡ ପ୍ରଶ୍ନ, ବ୍ଲାକମେଲର କୁଇନଙ୍କୁ କିଏ କିଏ ଦେଇଥିଲା କେତେ କେତେ ଟଙ୍କା ? କେଉଁଠୁ କମାଇଛନ୍ତି ?ରୋଜଗାରର ଉତ୍ସ ସ୍ବଚ୍ଛ ନା ଦୁର୍ନୀତି ? ଅନ୍ୟପଟେ ଇଡିକୁ ପୋଲିସ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ଏସବୁ ପ୍ରଶ୍ନର ଉତ୍ତର କେମିତି ମିଳିବ ? କିଏ, କେତେ, ଟଙ୍କା ଏବଂ କେଉଁ ସୋର୍ସରୁ ଦେଇଥିଲେ ପ୍ରଶ୍ନର ଉତ୍ତର କମିଶନରେଟ୍ ପୋଲିସର ଇଡିକୁ ତଥ୍ୟ ପ୍ରଦାନ ଆଧାରରେ ମିଳିଥାନ୍ତା । ହେଲେ କମିଶନରେଟ୍ ପୋଲିସ ଇଡିକୁ ସହଯୋଗ କରି ନଥିବା ଚର୍ଚ୍ଚା ହୋଇଥିଲା । ତେଣୁ ଯେଉଁମାନେ ଟଙ୍କା ତାହା ସେମାନଙ୍କର ଟଙ୍କା ନା ଦୁର୍ନୀତି ଉପାୟରେ ରୋଜଗାର କରିଥିଲେ ସେସବୁ ପ୍ରଶ୍ନର ଉତ୍ତର ଖୋଜିବା ବି କଷ୍ଟ । ଯଦି ଦେଇଥିବା ଟଙ୍କା ଉତ୍ସର ସନ୍ଧାନ ମିଳନ୍ତା ତେବେ ଦୁର୍ନୀତିର ଚେର ଯାଏଁ ପହଞ୍ଚା ଯାଇପାରିଥାନ୍ତା ।

 

ତେବେ ଗତ ଡିସେମ୍ପର ୧୩ରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା । ପ୍ରଥମେ ୭ ଦିନର ରିମାଣ୍ଡ ଅବଧି ଶେଷ ପରେ ଅର୍ଚ୍ଚନାଙ୍କୁ ଭୁବନେଶ୍ୱର ସ୍ଥିତ ଇଡିର ସ୍ୱତନ୍ତ୍ର କୋର୍ଟରେ ତାଙ୍କୁ ହାଜର କରଯାଇଥିଲା । ଆଉ ତା’ପରେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ଇଡି । ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ଗିରଫ କରିଥିଲା ଇଡି।