ଗୁରୁବାର ରାତିରେ ୱାସିଂଟନ୍ ଡିସି ଅଞ୍ଚଳରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ବାସ କରୁଥିବା ବାସଭବନ ନିକଟରୁ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଓବାମାଙ୍କ ଘର ଓ ପ୍ରାନ୍ତର ଥିବା ବ୍ଲକ୍ ନିକଟରୁ ପୁଲିସ ଟେଲର୍ ଟରାଣ୍ଟୋ ନାମକ ୩୭ ବର୍ଷିୟ ବ୍ୟକ୍ତିଙ୍କୁ ଗରିଫ କରିଛି। ଟେଲର୍ଙ୍କୁ ଗୁଇନ୍ଦାମାନେ ବି ଖୋଜୁଥିଲେ। ତେବେ ଘଟଣା ସଂକ୍ରାନ୍ତରେ ଗଣମାଧ୍ୟମକୁ ଅଧିକ କିଛି କହିବାକୁ ପୁଲିସ ମନା କରିଦେଇଛି। ଜାନୁଆରି ୬ ତାରିଖରେ ଆମେରିକା କ୍ୟାପିଟଲ୍ରେ ହୋଇଥିବା ଅପରାଧରେ ଟେଲରଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ପୁଲିସ ତାଙ୍କୁ ଖୋଜିଥିଲା ।
ମିଳିଥିବା ସୂଚନା ଅନୁସାରେ, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଟରାଣ୍ଟୋ ସାମାଜିକ ଗଣମାଧ୍ୟମ ଜରିଆରେ ହତ୍ୟା ଧମକ ଦେଉଥିଲେ। ସେ ବୋମା ତିଆରି ନ କରିଲେ ବି ତାଙ୍କ ପାଖରୁ ବୋମା ନିର୍ମାଣ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଟରାଣ୍ଟୋ ଚଳାଉଥିବା ଭ୍ୟାନଟିକୁ ବୋମା ନିଷ୍କ୍ରିୟକାରୀ ଦଳ ଯାଞ୍ଚ କରିଥିଲେ। ପୁଲିସ ତାଙ୍କୁ ଗିରଫ କରିବା ସମୟରେ ଓବାମା ଘରେ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅଦାଲତକୁ ଫାଙ୍କି ଫେରାର୍ ହୋଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।