ସ୍କୁଲରେ ତୃତୀୟ ଶ୍ରେଣୀ ଛାତ୍ର ଉପରକୁ ଗୁଳି ମାରିଲା ନର୍ସରୀ ଛାତ୍ର

0

ବିହାରରୁ ଆସିଛି ଏକ ଚକିତ କଲାପରି ଘଟଣା । କ୍ଲାସ ଥ୍ରିରେ ପଢୁଥିବା ଛାତ୍ରକୁ ଗୁଳି ମାରିଛି ନର୍ସରୀ ଛାତ୍ର । ଏହି ଘଟଣା ଘଟଇଛି ସୁପୋଲ ଜିଲ୍ଲା ତ୍ରିବେଣୀଗଞ୍ଜ ନଗର ପରିଷଦ ଅଞ୍ଚଳରେ । ୧୬ ନମ୍ବର ୱାର୍ଡରେ ଥିବା ସେଣ୍ଟ ଜନ ବୋର୍ଡିଂ ସ୍କୁଲର ନର୍ସରୀରେ ପଢୁଥିବା ଛାତ୍ର ତାର ଉପରିସ୍ଥ ଶ୍ରେଣୀର ପିଲାକୁ ବୁଧବାର ଗୁଳି କରିଛି । ଗୁଳି ଛାତ୍ରର ହାତରେ ଲାଗିଛି । ଏବେ ଛାତ୍ରର ଅବସ୍ଥା ବିପଦ ମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ନର୍ସରୀ ଛାତ୍ର ତାର ସ୍କୁଲ ବ୍ୟାଗରେ ଘରୁ ବନ୍ଧୁକ ଆଣିଥିଲା ଓ ପ୍ରାର୍ଥନା ପୂର୍ବରୁ ସେ ଜଣେ ତୃତୀୟ ଶ୍ରେଣୀର ୧୦ ବର୍ଷର ଛାତ୍ର ଉପରକୁ ଗୁଳି କରିଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୁଳି ବାଜିଥିବା ଛାତ୍ର କହିଛି, ଗୁଳି ଚଳାଇଥିବା ଛାତ୍ର ସହ ତାର କୌଣସି ଶତ୍ରୁତା ନ ଥିଲା । ସ୍କୁଲ କର୍ତ୍ତୃପକ୍ଷ ବନ୍ଧୁକ ଆଣିଥିବା ନର୍ସରୀ ଛାତ୍ରର ବାପାଙ୍କୁ ଡକାଇଥିଲେ । ଅଭିଭାବକ ସ୍କୁଲ ଆସିଥିଲେ ମଧ୍ୟ ନିଜ ପୁଅ ଓ ବନ୍ଧୁକ ନେଇ ସ୍କୁଲରୁ ଫେରାର ହୋଇଯାଇଛନ୍ତି ।
ଏହା ପରେ ସ୍କୁଲ ପରିସରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୀଡିତର ପରିବାର ସ୍କୁଲରେ ହଙ୍ଗାମା କରିଥିଲେ । ଅନ୍ୟ ଅଭିଭାବକ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ତେବେ ପୋଲିସ ଅଭିଯୁକ୍ତ ବୋରିଧରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା ।