ଭୁବନେଶ୍ୱର: ସ୍କୁଲ ସ୍ତରରେ ଲାଗୁହେଲା ଜାତୀୟ ଶିକ୍ଷାନୀତି-୨୦୨୦। ଏହି ‘ଜାତୀୟ ଶିକ୍ଷାନୀତି’ ୨୦୨୪-୨୫ରୁ ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ। ଏନେଇ ଖୁବଶୀଘ୍ର ଆସିବ ମାର୍ଗଦର୍ଶିକା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଗଲା ନିଷ୍ପତ୍ତି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍ ପ୍ରସ୍ତୁତି ହେବା ନେଇ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସତର୍କତାର ସହିତ ବିଚାର କରିବା ପରେ, ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ଜାତୀୟ ଶିକ୍ଷାନୀତି ୨୦୨୦ ମୁତାବକ ୩ ବର୍ଷ ବୟସରୁ ୧୮ ବର୍ଷ ବୟସ ମଧ୍ୟରେ ୧୦+୨ ସ୍କୁଲ ଶିକ୍ଷାକୁ ୫+୩+୩+୪ ବ୍ୟବସ୍ଥାରେ ଭାଗ କରାଯାଇଛି। ପୁରୁଣା ଶିକ୍ଷା ନୀତିରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷା ସାମିଲ ନଥିଲା। ୬ ବର୍ଷ ହେଲେ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାଁ ଲେଖାଉଥିଲେ। ନୂଆ ଶିକ୍ଷା ନୀତି ୫+୩+୩+୪ ଢାଞ୍ଚାରେ ୩ ବର୍ଷର ପିଲାଙ୍କୁ ସାମିଲ କରି ବାଲ୍ୟାବସ୍ତାରୁ ଶିକ୍ଷାଗତ ମୂଳଦୂଆ ମଜଭୁତ କରିବାକୁ ପ୍ରୟାସ କରାଯାଇଛି।