ବ୍ୟୁରୋ : ଆଜି ପଡିଛି ଧନତେରାସ୍ ବା ଧନ ତ୍ରୟୋଦଶୀ। ସାଧାରଣତଃ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀରେ ଧନତେରାସ୍ ପାଳନ କରାଯାଏ। ଶାସ୍ତ୍ର ଅନୁସାରେ, ଭଗବାନ ଧନନ୍ତ୍ୱରୀ ଏହି ଦିନ ଜନ୍ମ ହୋଇଥିବା କାରଣରୁ ଆଜିର ଦିନଟି ଧନତେରାସ ପର୍ବ ଭାବରେ ପାଳନ କରାଯାଏ। ଏହି ଦିନ ବିଶେଷକରି, ଯମରାଜ, ଲକ୍ଷ୍ମୀ, ଧନ୍ବନ୍ତରୀଙ୍କ ସହ କୁବେରଙ୍କୁ ପୂଜା କରାଯାଏ । ଆଜିର ଦିନରେ ଏହି ୪ ଦେବାଦେବୀଙ୍କୁ ପୂଜା କଲେ ଅର୍ଥର ଅଭାବ ରହି ନ ଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ବାସ ରହିଛି। ବିଶ୍ବାସ ଅଛି ଯେ, ଏଭଳି ପବିତ୍ର ଦିନରେ ସୁନାରୁପା ଓ ବିଭିନ୍ନ ଧାତୁ କିଣି ଘରକୁ ଆଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଧନତେରାସ୍ କୁ ନେଇ ଅନେକ ପୌରାଣିକ କାହାଣୀ ମଧ୍ୟ ରହିଛି।
ପୌରାଣିକ ମତ ବା ଶାସ୍ତ୍ର ଅନୁସାରେ, ସମୁଦ୍ର ମନ୍ଥନ ସମୟରେ ଅନ୍ୟ ଦୁର୍ଲଭ ଏବଂ ମୂଲ୍ୟବାନ ବସ୍ତୁ ସହିତ ଶରଦ ପୂର୍ଣ୍ଣିମା ଦିନ ଚନ୍ଦ୍ର, କାର୍ତ୍ତିକ ଦ୍ବାଦଶୀ ଦିନ କାମଧେନୁ ଗାଈ, ତ୍ରୟୋଦଶୀ ଦିନ ଧନ୍ବନ୍ତରୀ ଏବଂ କାର୍ତ୍ତିକ ମାସର ଅମବାସ୍ୟା ତିଥିରେ ଯାହାକୁ ଆମେ ଦୀପାବଳି ଅମାବାସ୍ୟା କହିଥାଉ ସେହି ଦିନ ଭଗବତୀ ମାଆ ଲକ୍ଷ୍ମୀଙ୍କ ଅବତରଣ ହୋଇଥିଲା। ଏହି କାରଣରୁ ଦୀପାବଳି ଦିନ ଲକ୍ଷ୍ମୀ ପୂଜା ଏବଂ ଏହାର ପୂର୍ବ ତ୍ରୟୋଦଶୀ ଦିନ ଭଗବାନ ଧନ୍ବନ୍ତରୀଙ୍କ ଜନ୍ମ ଦିବସ ଧନତେରାସ ରୂପେ ପାଳନ କରାଯାଇଥାଏ।
କେବଳ ତାହା ନୁହେଁ, ଭଗବାନ ଧନ୍ବନ୍ତରୀଙ୍କୁ ଭଗବାନ ନାରାୟଣଙ୍କ ଏକ ପ୍ରତିରୂପ ଭାବେ ବିବେଚନା କରାଯାଏ। ଧନ୍ଵନ୍ତରୀ ତାଙ୍କର ଚାରିଟି ହସ୍ତ ମଧ୍ୟରୁ ୨ଟି ହସ୍ତରେ ଶଙ୍ଖ ଓ ଚକ୍ର ଧାରଣ କରିଥାନ୍ତି । ଏବଂ ଆଉ ୨ଟି ହସ୍ତରେ ଔଷଧ ସହ ଅମୃତ କଳସ ଧାରଣ କରିଥାନ୍ତି। ତେବେ, ଏହି ଅମୃତ କଳସଟି ପିତ୍ତଳରେ ପ୍ରସ୍ତୁତ ହୋଇଥିଲା। ତେବେ ଭଗବାନ ଧନ୍ବନ୍ତରୀଙ୍କ ପ୍ରିୟ ଧାତୁ ପିତ୍ତଳ ବୋଲି କୁହାଯାଇଥାଏ। ଏହି କାରଣରୁ ଅଧିକାଂଶ ଲୋକେ ଧନତେରାସ୍ ଦିନ ପିତ୍ତଳ ବାସନ କିଣି ଥାଆନ୍ତି। କେବଳ ପିତ୍ତଳ ନୁହେଁ ଧନତେରାସ୍ ଦିନ ବିଭିନ୍ନ ଧାତୁରେ ତିଆରି ବାସନ କିଣିଲେ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି।