( ରିପୋର୍ଟସଟୁଡେ): ରାଜ୍ୟର ମୁଖ୍ୟ ଫସଲ ଧାନ । ୯୦ ପ୍ରତିଶତ ଚାଷୀ କେବଳ ଧାନ ଚାଷ ଉପରେ ନିର୍ଭରଶୀଳ । ପ୍ରତି କ୍ୱିଂଟାଲ ଧାନ ଉତ୍ପାଦନରେ ଖର୍ଚ୍ଚ ହୁଏ ୨୪ଶହ ଟଙ୍କା । କିନ୍ତୁ ବର୍ତମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ମାତ୍ର ୧୭୫୦ ଟଙ୍କା । ଫଳରେ ଚାଷୀ ତାର ଉତ୍ପାଦନ ଖର୍ଚ୍ଚର ମୂଲ୍ୟ ପାଇବାରୁ ବଂଚିତ । ଏହା ବ୍ୟତୀତ ଚାଷୀ ନିର୍ଦ୍ଧାରିତ ସରକାରୀ ସହାୟକ ମୂଲ୍ୟ ମଧ୍ୟ ପାଉ ନାହିଁ । ଫଳରେ ଅଭାବି ବିକ୍ରିର ଶିକାର । ରାଜ୍ୟ ସରକାର ଚାଷୀଙ୍କ ମନ ଭୁଲାଇବା ପାଇଁ ଦିଲ୍ଲୀରେ ସଂସଦ ଘେରାଉ ନାମରେ ନାଟକବାଜୀ କରୁଛନ୍ତି ଓ ଅପର ପକ୍ଷରେ ରାଜ୍ୟର ବିଜେପି ଦଳ ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ରରେ ଦାବି ନ କରି ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ଏହି ସରକାରର ଚାଷୀ ମାରଣ ନୀତି ବିରୁଦ୍ଧରେ ଚାଷୀଙ୍କୁ ଜାଗରଣ କରିବା ସହିତ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ଓ ରାଜ୍ୟ ସରକାର ସହାୟକ ମୂଲ୍ୟ ଉପରେ ୭୫୦ ଟଙ୍କା ବୋନସ ଦେବାକୁ ଆଜି କିଷାନ କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲା ପ୍ରତିନିଧମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।