ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ 

ନୂଆଖାଇ ପର୍ବ ଏକ ଅନନ୍ୟ ଗଣପର୍ବ -ଜିଲ୍ଲପାଳ

0

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ଠାରେ ନୂଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏକ ଅନନ୍ୟ ପର୍ବ ଯାହା ସାମଗ୍ରିକ ଭାବେ ସମସ୍ତଙ୍କୁ ଏକଜୁଟ କରିବାକୁ ଉତ୍ସାହ ଓ ପ୍ରେରଣା ଦେଇଥାଏ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ସମସ୍ତ ଜିଲ୍ଲାବାସୀଙ୍କୁ ଭେଟଘାଟ ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାସ, ପିଡ଼ିଡିଆରଡିଏ ଡୋଳାମଣି ପଟେଲ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ୱତ କୁମାର ତ୍ରିପାଠୀ ଏବଂ ନାଟ୍ୟଶ୍ରୀ ଗଦାଧର ବାରିକ ପ୍ରମୁଖ ଯୋଗଦାନ କରି ନୂଆଁଖାଇ ଗଣପର୍ବର ଗୁରୁତ୍ୱ ଓ ପରମ୍ପରା ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ ।
କାର୍ୟ୍ୟକ୍ରମ ଅବସରରେ ଜିଲ୍ଲାର ସୁନାମଧନ୍ୟ ବିଶିଷ୍ଟ ସଂଗୀତକାର ଓ କଣ୍ଠଶିଳ୍ପୀ ବୃନ୍ଦାବନ ମେହେର, କଣ୍ଠଶିଳ୍ପୀ ନୁର ବେଗମଙ୍କୁ ଜିଲ୍ଲପାଳ ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ମାନପତ୍ର ଓ ଉପଢ଼ୌଙ୍କନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ଲୋକନୃତ୍ୟ ପ୍ରତିଯୋଗିତାର କୃତୀ ସାଂସ୍କୃତିକ ଦଳଙ୍କୁ ମଧ୍ୟ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ପୁରସ୍କୃତ କରିଥିଲେ । କାର୍ୟ୍ୟକ୍ରମ ଅବସରରେ ଜିଲ୍ଲାର ବିଭିନ୍ନ ସୁନାମଧନ୍ୟ ସାଂସ୍କୃତିକ ଅନୁଷ୍ଠାନ ପଏଁରି, ରୁମକୁ ଝୁମାନା, ଆଞ୍ଚଳିକ କଲା ପରିଷଦ, କୃଷ୍ଣ ଗୁରୁ, ଶବର ସବରାଣୀ, ରୂପଶ୍ରୀ କଲା ପରିଷଦ ପ୍ରଭୁତି ଉଚ୍ଚକୋଟିର ଲୋକନୃତ୍ୟ ପରିବେଷଣ କରିଥିବା ବେଳେ ସୁଶ୍ରୀ ମୁସ୍କକ୍ଷନ ମଲ୍ଲିକ ଲୋକଗୀତ ପରିବେଷଣ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଦୁଃଖୀଶ୍ୟାମ ସେଠୀ ତଥା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ ।