୯ ଆତଙ୍କୀ ଆଡ୍ଡାସ୍ଥଳିକୁ ଧୂଳିସାତ କରିଦେଲେ ଭାରତର ତିନି ସେନା

ଅପରେସନ ସିନ୍ଦୁର କୁ ନେଇ ଭାରତୀୟ ସେନାର ବଡ ସୂଚନା । ରାତି ୧ଟା ୫ରୁ ୧ଟା ୩୦ ମଧ୍ୟରେ ଅପରେସନ ସିନ୍ଦୁର କାର୍ଯ୍ୟକାରୀ ହୋଇଥିଲା । ମାତ୍ର ୨୫ ମିନିଟ ରେ ଭାରତର ତିନି ସେନା ୯ ଆତଙ୍କୀ ଆଡ୍ଡା ସ୍ଥଳି ଧୂଳିସାତ୍ କରିଛନ୍ତି । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି ।
ଏୟାର ଷ୍ଟ୍ରାଇକ୍‌  ରେ ପାକିସ୍ତାନ ଥରହର । ଏଥିପାଇଁ ପାକ ରେ ଏମରଜେନ୍ସି ଜାରି ହୋଇଛି । ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ରାୱଲପିଣ୍ଡି , ଲାହୋର ବିମାନବନ୍ଦର ବନ୍ଦ ରହିଛି । ସୀମା ରେ ପାକିସ୍ତାନ ସେନା ମଧ୍ୟ ସଜାଗ ରହିଥିବା ସୂଚନା ମିଳିଛି । ଏପଟେ ଭାରତ ସୀମାରେ ଥିବା ଯବାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରାମିଲିଟାରୀ ଫୋର୍ସଙ୍କ ଛୁଟି ବାତିଲ ହୋଇଛି । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।