ସଡକ ସୁରକ୍ଷା ମାସରେ ହିଁ ୮୪୮ ଦୁର୍ଘଟଣା, ୫୦୫ଜଣଙ୍କ ମୃତ୍ୟୁ

0

ବ୍ୟୁରୋ : ୨୦୨୪-୨୫ ଆର୍ଥିକ ବର୍ଷରେ ଦୁର୍ଘଟଣାର ସଂଖ୍ୟା, କେତେ ଜଣ ମୃତ୍ୟୁବରଣ କରିଛନ୍ତି ଓ କେତେ ଜଣ ଦିବ୍ୟାଙ୍ଗ ପାଲଟିଛନ୍ତି ? ଏସବୁ ତଥ୍ୟ ଗୃହରେ ଉପସ୍ଥାପନ କରିବା ପାଇଁ କହିଲେ ବିଜେଡି ବିଧାୟକ ଅରୁଣ ସାହୁ । କେବଳ ସେତିକି ନୁହେଁ, ସଡକ ସୁରକ୍ଷା ସପ୍ତାହ ପାଳନରେ ଚଳିତବର୍ଷ କେତେ ଅର୍ଥ ପ୍ରଦାନ କରାଯାଇଛି ତାହାର ମଧ୍ୟ ବିବରଣୀ ମାଗିଥିଲେ ବିଜେଡି ବିଧାୟକ ଅରୁଣ ସାହୁ ।
ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଜାନୁଆରୀ ମାସକୁ ରାଜ୍ୟରେ ସଡକ ସୁରକ୍ଷା ମାସ ପାଳନ କରାଯାଇଥିବାବେଳେ ସେହି ମାସରେ ହିଁ ୮୪୮ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୪୭୨ଜଣ ଆହତ ହୋଇଥିଲେ । ଏବଂ ୫୦୫ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାର ସଡ଼କ ସୁରକ୍ଷା ସଚେତନତା ନିମନ୍ତେ ଏକ କୋଟି ୮୯ ଲକ୍ଷ ୬୬ ହଜାର ୬୯୪ ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୨୫ରେ ସଡ଼କ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ ପାଇଁ ରାଜ୍ୟ ସରକାର ବିଭିନ୍ନ ଆର୍ଟିଓକୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଗତ ୫ ବର୍ଷରେ ଓଡ଼ିଶାରେ ହାରାହାରି ବାର୍ଷିକ ସଡ଼କ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୩୬୬ରେ ପହଞ୍ଚିଛି । ଦୁର୍ଘଟଣାରେ ଆହତ ସଂଖ୍ୟା ହାରାହାରି ୧୦ ହଜାର ୮ ରହିଛି । ସେହିଭଳି ଦୁର୍ଘଟଣାରେ ହାରାହାରି ୫ ହଜାର ୪୩୩ ମୃତ୍ୟୁସଂଖ୍ୟା ରହିଛି ।