ଭୁବନେଶ୍ୱର – ବର୍ବରତାର ସୀମା ଟପିଲା ନିଜ ଜୀବନ ସାଥୀ ।ଖଣ୍ଡଗିରି ଥାନା ଅଞ୍ଚଳ ପଣ୍ଡା ଗଦିଆ ଗାଁରେ ଘଟିଛି ଏଭଳି ଘଟଣା । ଆଠ ମାସର ଗର୍ଭବତୀ ସ୍ତ୍ରୀକୁ ଆଣ୍ଠୁରେ ମାରିବା ଯୋଗୁଁ ଚାଲିଯାଇଛି ଜୀବନ । କି ଅବା ଭୁଲ କରିଥିଲା ପେଟରେ ବଢୁଥିବା କଅଁଳା ଶିଶୁ ତାକୁ ବି ଜୀବନରୁ ମାରିଦେଲା ନୃଶଂସ ସ୍ୱାମୀ । ଏନେଇ ଝିଅ ବାପା ଖଣ୍ଡଗିରି ଥାନାରେ ଜ୍ୱାଇଁ ନାଁରେ ଏତଲା ଦେଇଛନ୍ତି ।
ଖବର ଅନୁଯାୟୀ ନୟାଗଡ ଜିଲ୍ଲା ବଲାଙ୍ଗିବନ୍ଧ ଗାଁର ପ୍ରଫୁଲ କୁମାର ନାୟକଙ୍କ ଝିଅ ଶ୍ରଦ୍ଧାଞ୍ଜଳି ମାଛିପଡା ଗାଁର ସୁର ସୁବୁଦ୍ଧିଙ୍କ ପୁଅ ବବୁଲ ସୁବୁଦ୍ଧିଙ୍କୁ ଭଲ ପାଇ ମନ୍ଦିରରେ ବିବାହ କରିଥିଲେ । ଦୁହେଁ ଭୁବନେଶ୍ୱରରେ ଏକ ଅଳଙ୍ଜାର ଦୋକାନରେ କାମ କରୁଥିଲାବେଳେ ପରସ୍ପରକୁ ଭଲ ପାଇ ବସିଥିଲେ । ବିବାହର କିଛି ଦିନ ପରେ ସେମାନେ ଆସି ଭୁବନେଶ୍ୱର ଉପକଣ୍ଠ ଶ୍ୟାମପୁର ନିକଟ ପଣ୍ଡାଗଦିଆ ଗାଁରେ ଭଡାକୁ ରହୁଥିଲେ । ହେଲେ ଶୈତାନୀ ପ୍ରକୃତିର ସ୍ୱାମୀ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ଉପରେ ଅତ୍ୟାଚାର କରୁଥିଲା । ଟଙ୍କା ପଇସା ଗାଡ଼ି ମୋବାଇଲ ଆଦି ଦାବି କରୁଥିଲା । ପୁଣି ଯାହା ଧାର କରଜ କରିଛି ତାକୁ ବାପ ଘରୁ ଆଣି ଶୁଝିବାକୁ କହୁଥିଲା । ଏହା ଭିତରେ ଶ୍ରଦ୍ଧାଞ୍ଜଳି ଗର୍ଭବତୀ ହେଲେ।
ଅଭିଯୋଗ ଅନୁଯାୟୀ, ବବୁଲୁର ମା କୁଆଡ଼େ ୨ଲକ୍ଷ ଟଙ୍କା ଦାବି କରିଥିଲେ ଶ୍ରଦ୍ଧାଞ୍ଜଳି ବାପାଙ୍କ ନିକଟରେ । କଳି ଝଗଡ଼ା ପରେ ଶ୍ରଦ୍ଧାଞ୍ଜଳି ଆସି ନିଜ ଘରେ ରହୁଥିଲେ । ତେବେ ଦାବି କରିଥିବା ୨ ଲକ୍ଷ ଟଙ୍କା ଦେବାରେ ବିଳମ୍ବ ହେବାରୁ ଜ୍ବାଇଁ ବବୁଲୁ ଆସି ଘରେ ପଶି ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ମାଗି ଝଗଡ଼ା କରିଥିଲା । ଆଉ ତା ପରେ ଉଗ୍ର ରୂପ ଧରି ମାଡ଼ ମାରି ଚାଲିଲା । ପୁଣି ନିର୍ଦ୍ଦୟ ଭାବେ ଆଠ ମାସର ଗର୍ଭବତୀ ଶ୍ରଦ୍ଧାଞ୍ଜଳି ପେଟକୁ ଆଣ୍ଠୁରେ ମାଡ଼ ମାରି ଆଘାତ କରି ସେଠାରୁ ଫେରାର ହୋଇଯାଇଥିଲା । ଘଟଣାର ଦୁଇ ତିନି ଦିନ ପରେ ଝିଅର ଯନ୍ତ୍ରଣା ହେବାରୁ ଘର ଲୋକେ ତାକୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ଶ୍ରଦ୍ଧାଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀ ବବୁଲୁ ଫେରାର ଥିବା ବେଳେ ଖଣ୍ଡଗିରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Edit by sanjulata sahoo