ଭୁବନେଶ୍ୱର: ୫ଟି ସଚିବଙ୍କ କନ୍ଧମାଳ ଗସ୍ତ । ମା ବରାଳଦେବୀ ମନ୍ଦିରର ହେବ ସୌନ୍ଦର୍ୟ୍ୟକରଣ । ୫.୨୯ କୋଟି ଟଙ୍କାର ଫୁଲବାଣୀ ବସ ଷ୍ଟାଣ୍ଡ ପ୍ରକଳ୍ପର ନିର୍ମାଣ ଠିକ୍ ସମୟରେ ସାରିବାକୁ ନିର୍ଦ୍ଦେଶ । କନ୍ଧମାଳ ପର୍ୟ୍ୟଟନର ସାମଗ୍ରୀକ ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ କରାଯିବ । ହଜାର କୋଟି ଟଙ୍କାରେ ନିର୍ମାଣାଧୀନ କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ କାମ ୨୦୨୩ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ । ପ୍ରାୟ ୫୦୦ କୋଟି ଟଙ୍କାରେ କାର୍ୟ୍ୟକାରୀ ହେବ ମେଗା ପାଇପ ଜଳ ପ୍ରକଳ୍ପ । ଜିଲ୍ଲାର ୩୬ଟି ଶିକ୍ଷାନୁଷ୍ଠାନ ୫ଟି ରୂପାନ୍ତର ଉପକ୍ରମରେ ସାମିଲ । ୧୧ଟି ଡିଗ୍ରୀ କଲେଜ ଓ ୨୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖର୍ଚ୍ଚ ହେବ ୧୮.୭୫ କୋଟି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ସମୀକ୍ଷା କରିଛନ୍ତି ଏବଂ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଶୁଣିବା ସହିତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି ।ଶ୍ରୀ ପାଣ୍ଡିଆନ ପ୍ରଥମେ ଖଜୁରିଆପଡା ବ୍ଲକସ୍ଥିତ ମା ବରାଳଦେବୀ ମନ୍ଦିର ପରିଦର୍ଶନ କରି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ପରିଚାଳନା କମିଟି ସଦସ୍ୟମାନଙ୍କ ସହିତ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫୁଲବାଣୀରେ ନିର୍ମାଣାଧୀନ ବସ ଷ୍ଟାଣ୍ଡ ପ୍ରକଳ୍ପ ପରିଦର୍ଶନକରି ଏହାର ନିର୍ମାଣ କାମ ସମୀକ୍ଷା କରିଥିଲେ । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଭିତ୍ତିଭୂମିର ଉପଯୁକ୍ତ ନିର୍ମାଣ ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ୱ ଦେଇଥିଲେ । ଏହି ପ୍ରକଳ୍ପ ପାଇଁ ୫.୨୯ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସମସ୍ତ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଫୁଲବାଣୀ ସ୍ପୋର୍ଟ୍ସ୍ କମ୍ପ୍ଲେକ୍ସ ଠାରେ ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ ସଂଘର ପ୍ରତିନିଧିମାନଙ୍କ ସହିତ ଜିଲ୍ଲାର ସାମଗ୍ରୀକ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କନ୍ଧମାଳରେ ପର୍ଯ୍ୟଟନର ବିକାଶ ପାଇଁ ସମସ୍ତେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାରେ ପର୍ଯ୍ୟଟନର ସାମଗ୍ରିକ ବିକାଶ ପାଇଁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି ଅବସରରେ ନିଜର ଅଭିଭାଷଣ ରଖି ୫ଟି ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ ଯେ କନ୍ଧମାଳରେ ଏକ ଅତ୍ୟାଧୁନିକ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ କରାଯାଉଛି । ଏହାର କାମ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ବୋଲି ସେ କହିଥିଲେ । ଏକ ହଜାର କୋଟି ଟଙ୍କାରେ ନିର୍ମିତ ଏହି କଲେଜ ଓ ହସ୍ପିଟାଲ ଦ୍ୱାରା କନ୍ଧମାଳ ଓ ଆଖପାଖ ଜିଲ୍ଲାର ଲୋକମାନେ ଉନ୍ନତମାନର ଚିକିତ୍ସା ପାଇପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ଲୋକଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ପାଇଁ ୪୯୯.୯୧ କୋଟି ଟଙ୍କାରେ ଏକ ମେଗା ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ବୌଦ୍ଧ ଜିଲ୍ଲାରେ ପ୍ରବାହିତ ମହାନଦୀରୁ ପାଇପ ଯୋଗେ ପାଣି ଅଣାଯିବ । ଏହା ଦ୍ୱାରା ଫୁଲବାଣୀ, ଖଜୁରିଆପଡା, ଫିରିଙ୍ଗିଆ ଓ ଚକାପାଦ ଆଦି ବ୍ଲକ ଅଞ୍ଚଳର ଲୋକମାନେ ସ୍ୱଚ୍ଛ ପାନୀୟ ଜଳ ପାଇପ ଯୋଗେ ପାଇ ପାରିବେ । ଫୁଲବାଣୀ ରିଜର୍ଭ ପୋଲିସ୍ ପଡିଆରେ ସେ ଜିଲ୍ଲାର କଲେଜ ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ । ୫ଟି ସଚିବ କହିଥିଲେ ଯେ ଜିଲ୍ଲାର ସମସ୍ତ ୩୬ଟି ଶିକ୍ଷାନୁଷ୍ଠାନକୁ ୫ଟି ରୂପାନ୍ତର କାର୍ୟ୍ୟକ୍ରମରେ ଗ୍ରହଣ କରାଯାଇଛି ଏବଂ ଏସବୁଗୁଡିକର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଏଥିପାଇଁ ୧୮.୭୫ କୋଟି ଟଙ୍କା ବିନିଯୋଗ କରାଯିବ । ଜିଲ୍ଲାର ୧୧ଟି ଡିଗ୍ରୀ କଲେଜ ପାଇଁ ୭.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୨୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୧.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ୨୩,୭୭୭ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । କାର୍ଯ୍ୟଗୁଡିକର ନିୟମିତ ସମୀକ୍ଷା କରି ଠିକ୍ ସମୟରେ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।