ଜେରୁଜେଲମ: ଉଗ୍ର ହେବାରେ ଲାଗିଲାଣି ହମାସ ଓ ଇସ୍ରାଏଲ ଲଢେଇ । ହମାସର ଆକ୍ରମଣ ପରେ ଇସ୍ରାଏଲ ଆକ୍ରାମକ ହୋଇଛି । ହମାସ ଉପରେ ସିରିଜ ଆକ୍ରମଣ କରିଛି ଇଜ୍ରାଏଲ । ମାତ୍ର ୪୦ ମିନିଟରେ ୪୫୦ ମିସାଇଲ ମାଡ କରି ହମାସକୁ ଥରାଇ ଦେଇଛି ଇଜ୍ରାଏଲ । ଇସ୍ରାଏଲ ହମାସର ୧୫୦ରୁ ଅଧିକ ଠିକଣା ଉପରେ ଟାର୍ଗେଟ କରିଛି । ଏହାର ସୂଚନା ଖୋଦ ଇସ୍ରାଏଲ ସେନା ଦେଇଛି ।
ଇସ୍ରାଏଲ ତାର ଆଇରନ୍ ଡୋମ୍ ଏରିୟଲ ଡିଫେନ୍ସ ସିଷ୍ଟମ ମାଧ୍ୟମରେ ଶତ୍ରୁର ବହୁସଂଖ୍ୟକ ରକେଟ୍କୁ ଆକାଶରେ ହିଁ ଧ୍ବଂସ କରିଛି । ଏହା ସହ ମିସାଇଲ୍ ବର୍ଷା କରି ଗାଜାର ବିଭିନ୍ନ ଆତଙ୍କୀ ଠିକଣା ଧ୍ବଂସ କରିଛି। ଇସ୍ରାଏଲ ଆଟାକରେ ଗାଜାର ୩୧ ଶିଶୁଙ୍କ ଓ ୧୯ମହିଳାଙ୍କ ସହ ୧୧୧ ଜଣ ମୃତ୍ୟୁବରଣ କରିଛନ୍ତି ।
ଅନ୍ୟପଟେ ୮ ଜଣ ଇସ୍ରାଏଲୀ ମୃତ୍ୟୁବରଣ କରିଛନ୍ତି। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ ପିଏମ ବୋରିସ ଜନସନଙ୍କ ସମେତ ଅନେକ ନେତା ଶାନ୍ତି ରକ୍ଷା ପାଇଁ ଅପିଲ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଉଭୟ ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ସରକାରଙ୍କୁ ଶାନ୍ତି ସ୍ଥାପନ ପାଇଁ ଅପିଲ୍ କରିଥିବା ବେଳେ ଉଭୟ ଦେଶର ଅଧିକାରୀକ ଭାଷାରେ ଟ୍ବିଟ୍ ମଧ୍ୟ କରିଛନ୍ତି ।