ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଳେ ଘଟିଲା ଅଘଟଣ। ଗୋଲକିପରଙ୍କ ସହ ଜୋରଦାର ଧକ୍କା ହେବା ପରେ ଜଣେ ସ୍ପେନୀୟ ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ ହୋଇଛି। ମୃତ ଖେଳାଳି ହେଉଛନ୍ତି ୩୦ ବର୍ଷୀୟ ଜିସସ୍ ଡି ମିଗୁଏଲ୍। ସେ ସ୍ପେନର ଫୁଟବଲ୍ କ୍ଲବ୍ ସିଡି ଟେନେରିଫ୍ର ଷ୍ଟ୍ରାଇକର ଥିଲେ। ମଙ୍ଗଳବାର ସକାଳେ ତାଙ୍କ ମୃତ୍ୟୁ ନେଇ କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ସୋମବାର ଟେନେରିଫ୍ ଓ ଏଫ୍ସି ଆଣ୍ଡୋରା ମଧ୍ୟରେ ମ୍ୟାଚ୍ ଚାଲିଥିଲା। ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଉଭୟ ଦଳ ୨-୨ ଗୋଲ୍ରେ ସମାନ ସ୍ଥିତିରେ ଥିଲେ। ଏହି ସମୟରେ ଜିସସ୍ ଡି ମିଗୁଏଲ୍ ବଲ୍ ଧରି ଦ୍ରୁତ ଗତିରେ ଆଗକୁ ବଢ଼ୁଥିଲେ। ଠିକ୍ ସେତିକିବେଳେ ବିପକ୍ଷ ଦଳର ଗୋଲକିପର ଜିସସ୍ ଓଭୋନୋ ପେନାଲ୍ଟି ଏରିଆ ଛାଡ଼ି ବଲ୍କୁ ଅଟକାଇବାକୁ ଆଗକୁ ଆସିଥିଲେ। ଆଉ ଏହି ସମୟରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଭୟଙ୍କର ଧକ୍କା। ଗୋଲକିପରଙ୍କ ଆଣ୍ଠୁ ମିଗୁଏଲ୍ଙ୍କ ଛାତିରେ ଜୋରରେ ବାଜିଥିଲା। ଫଳରେ ସେ ଅଚେତ ହୋଇ ପଡ଼ିଆରେ ପଡ଼ିଯାଇଥିଲେ। ତୁରନ୍ତ ମେଡିକାଲ୍ ଟିମ୍କୁ ଡକାଯାଇଥିଲା। ପଡ଼ିଆରେ ଦୀର୍ଘ ସମୟ ଧରି ତାଙ୍କୁ ଚିକିତ୍ସା କରିବା ସହ ଚେତା ଫେରାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ତାଙ୍କ ସ୍ଥିତିରେ ସୁଧାର ଆସିନଥିଲା।

ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହସ୍ପିଟାଲ୍ ନେବା ସମୟରେ ତାଙ୍କୁ କାର୍ଡିଓରେସ୍ପିରେଟୋରୀ ଆରେଷ୍ଟ ହୋଇଥିଲା। ଅର୍ଥାତ୍ ତାଙ୍କ ହୃତ୍ପିଣ୍ଡ ଓ ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥିଲା। ଡାକ୍ତରୀ ଟିମ୍ର ନିରନ୍ତର ଉଦ୍ୟମ ପରେ ତାଙ୍କ ହୃତ୍ପିଣ୍ଡର ସ୍ପନ୍ଦନ ପୁଣି ଥରେ ଫେରିଥିଲା। ଏହାପରେ ତାଙ୍କୁ ଟେନେରିଫ୍ର ୟୁନିଭର୍ସିଟି ହସ୍ପିଟାଲ୍ ଅଫ୍ ନୁଏସ୍ତ୍ରା ସେନୋରା ଡି କାଣ୍ଡେଲାରିଆର ICUରେ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭରେ ତାଙ୍କ ସ୍ଥିତି ଗୁରୁତର ଥିଲେ ମଧ୍ୟ ସ୍ଥିର ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ନ୍ୟୁରୋଲୋଜିକାଲ୍ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଶେଷରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ସେ ଆଖି ବୁଜିଥିଲେ।
ଏହି ଦୁର୍ଘଟଣା ପରେ ମ୍ୟାଚ୍କୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ଗୋଲକିପର ଜିସସ୍ ଓଭୋନୋଙ୍କୁ ରେଫରି ସିଧାସଳଖ ରେଡ୍ କାର୍ଡ ଦେଖାଇଥିଲେ। ଆହତ ଖେଳାଳିଙ୍କୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସମୟ ଦେବା ଉଦ୍ଦେଶ୍ୟରେ ମ୍ୟାଚ୍କୁ ବାତିଲ କରାଯାଇଥିଲା। ମ୍ୟାଚ୍ର ସ୍କୋର ୨-୨ରେ ରହିଥିଲା।