ପୁରୀ(ରିପୋର୍ଟର୍ସ ଟୁଡେ): ଜନ୍ମ ବେଦୀରେ ନବଦିନର ଲୀଳାଖେଳା ଶେଷ କରି ପୁଣି ରତ୍ନବେଦୀକୁ ବାହୁଡି ଆସିଛନ୍ତି ଜଗତର ନାଥ ଜଗନ୍ନାଥ । ସାଙ୍ଗରେ ବଡଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନ ମଧ୍ୟ ଗୁଣ୍ଡିଚା ମା ଗରୁ ଫେରି ଆସିଛନ୍ତି । ସିଂହଦ୍ୱାର ନିକଟରେ ପହଞ୍ଚି ସାରିଛି ତାଳଧ୍ୱଜ, ଦର୍ପଦଳନ ଆଉ କାଳିଆର ନନ୍ଦିଘୋଷ । ବିନା ଭକ୍ତରେ ଗୁଣ୍ଡିଚା ପରି ମହାପ୍ରଭୁଙ୍କ ବାହୁଡା ପର୍ବ ମଧ୍ୟ ଶେଷ ହୋଇଛି । ନିର୍ଦ୍ଦରିତ ସମୟର ୪ ଘଣ୍ଟା ପୂର୍ବରୁ ପହଣ୍ଡି ସହ ରଥଟଣା କାର୍ଯ୍ୟ ସମାପନ ହୋଇଥିଲା । କୋରୋନା ପାଇଁ ଜିଲ୍ଲାରେ ଏବଂ ବିଶେଷ କରି ବଡଦାଣ୍ଡରେ ଲାଗୁ ହୋଇଥିବା କଟକଣାକୁ ମାନିବା ସହ ସମସ୍ତ ଲୋକେ ଘରେ ରହି ଟେଲିଭିଜନରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିଥିଲେ । ପ୍ରଶାସନ ଦ୍ୱାରା ଜାରି ହୋଇତିବା କର୍ପ୍ୟୁକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ପୁରୀ ବାସିନ୍ଦା ।

ଆଜି ସକାଳ ୭.୪୦ରେ ପହଣ୍ଡି ଆରମ୍ଭ ହୋଇ ୧୦.୨୦ରେ ଶେଷ ହୋଇଥିଲା । ଏହିଭଳି ସମସ୍ତ ରୀତିନୀତି ସୁରୁଖୁରୁରେ ସଅଳ ସଅଳ ଶେଷ କରାଯାଇଚି । ୧୦.୨୫ରୁ ୧୦.୪୫ ମଧ୍ୟରେ ମଦନମୋହନ ଏବଂ ରାମକୃଷ୍ଣ ବିଜେ ହୋଇଥିଲେ । ଏହାପରେ ଗଜପତି ମହାରାଜ ତିନି ରଥର ଛେରା ପହଁରା କରିଥିଲେ । ଏହାପରେ ଅନ୍ୟାନ୍ୟ ସମସ୍ତ ପୂଜାର୍ଚ୍ଚନା ଶେଷ ହେବା ପରେ ପ୍ରଥମେ ୧୨.୨୦ରେ ବଡଭାଇ ରୋହିଣୀସୂତ ପ୍ରଭୁ ବଳରାମ ତାଳଧ୍ୱଜ ରଥରେ ବିଜେ କରିବା ପରେ ଦେବୀ ମା ସୁଭଦ୍ରା ୧୨.୨୫ ସମୟରେ ଦେବ ଦଳନ ରଥ ମଧ୍ୟ ଗଡିଥିଲା । ତେବେ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୧.୨୦ରେ ଗଡିବା ଆରମ୍ଭ ହୋଇଥିଲା ।
ଗୁଣ୍ଡିଚା ଭଳି ବାହୁଡା ଯାତ୍ରାରେ ମଧ୍ୟ ଶାନ୍ତି ଶୃଙ୍ଖଳା ବଜାୟ ରଖିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । ୬୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ପେଟ୍ରୋଲିଂ କରି ପୋଲିସ ବିଭାଗ ବାହୁଡାଯାତ୍ରାକୁ କୋଭିଡ କଟକଣା ଅନୁସାରେ ସମାପନ କରିବାରେ ପ୍ରମୁଖ ଭୂମିକା ତୁଲାଇଛି ।