କରୋନା ହେତୁ ଉତ୍ତର ପ୍ରଦେଶରେ ପ୍ରାଣ ହରାଇଛନ୍ତି ୨୩,୫୧୨ ଲୋକେ
ଦେଶରେ କରୋନା ମହାମାରୀ ଗୋଟିଏ ପଟେ ହୁଲୁସ୍ତୁଲୁ କରିଦେଇଥିବା ବେଳେ ଉତ୍ତର ପ୍ରଦେଶରେ ମୋଟ ୨୩,୫୧୨ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି ।
(ଉତ୍ତରପ୍ରଦେଶ) : ଦେଶରେ କରୋନା ମହାମାରୀ ଗୋଟିଏ ପଟେ ହୁଲୁସ୍ତୁଲୁ କରିଦେଇଥିବା ବେଳେ ଉତ୍ତର ପ୍ରଦେଶରେ ମୋଟ ୨୩,୫୧୨ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ସରକାର ବିଧାନସଭାରେ ସ୍ପଷ୍ଟ କରିଛନ୍ତି।

ପ୍ରଶ୍ନକାଳରେ ସମାଜବାଦୀ ପାର୍ଟି ପକ୍ଷରୁ କରୋନା ଯୋଗୁ ରାଜ୍ୟରେ କେତେ ଲୋକ ପ୍ରାଣ ହରାଇଛନ୍ତି, ସେକଥା ପଚରା ଯାଇଥିଲା। ଏହାର ଜବାବରେ ସରକାର ଗୃହରେ ବିସ୍ତୃତ ତଥ୍ୟ ରଖିଛନ୍ତି। ସରକାରୀ ତଥ୍ୟ ପୂର୍ବରୁ ସମାଜବାଦୀ ପାର୍ଟିର ସଦସ୍ୟ ରବିଦାସ ମାଲହୋତ୍ରା କହିଥିଲେ ଯେ ମହାମାରୀ କରୋନା ଯୋଗୁ ରାଜ୍ୟରେ ମୋଟ ୧୮.୧୭ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଏହାକୁ କିନ୍ତୁ ସରକାର ବିରୋଧ କରିଥିଲେ। ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ବ୍ରଜେଶ ପାଠକ କହିଥିଲେ ଯେ ଏହି ଦାବିରେ କୌଣସି ସତ୍ୟତା ନାହିଁ। କରୋନା ପାଇଁ ହସ୍ପିଟାଲ, କ୍ୱାରେଣ୍ଟିନ ସେଣ୍ଟର ଓ ହୋମ ଆଇସୋଲେସନରେ ଥିବା ମୋଟ ୨୩,୫୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ମେ’ ୧୨ ସୁଦ୍ଧାରେ ରାଜ୍ୟରେ କରୋନା ଯୋଗୁ ଏତିକି ଲୋକଙ୍କ ଜୀବନ ଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

ସେ ଆହୁରି କହିଛନ୍ତି, “କରୋନା ମୃତକଙ୍କ ପରିବାର ଲୋକଙ୍କୁ ସରକାର ୫୦ ହଜାର ଟଙ୍କା ଲେଖାଏ ସହାୟତା କରିଛନ୍ତି। କ୍ଷତିପୂରଣ ପାଇଁ ପାଇଁ ମୋଟ ୪୧,୮୭୧ ଜଣ ଆବେଦନ କରିଥିଲେ। ଏହା ମଧ୍ୟରୁ ୩୯,୨୬୭ ଜଣଙ୍କୁ ଆର୍ଥିକ ସହାୟତା କରାଯାଇଛି।