ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨.୩୦ ରେ ସିଏଚଏସଇ କାର୍ୟ୍ୟାଳୟରେ ଫଳ ଘୋଷଣା ହେବା ନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେହିପରି ସପ୍ଲିମେଣ୍ଟାରୀ ପରୀକ୍ଷା ସେପ୍ଟେମ୍ବର ୧୪ ରୁ ୨୨ ଏବଂ ଓପେନ ଲର୍ଣିଂ ପରୀକ୍ଷା ସେପ୍ଟେମ୍ବର ୧୪ ରୁ ୨୪ ଯାଏ ଅନୁଷ୍ଠିତ ହେବ।
ସର୍ବଭାରତୀୟ ଜେଇଇ, ନିଟ୍ ପରୀକ୍ଷା ପାଇଁ ବିଜ୍ଞାନ ଛାତ୍ର ଛାତ୍ରୀ ରେଜଲ୍ଟ ପାଇଁ ଅସୁବିଧା ନ ଭୋଗନ୍ତୁ ତେଣୁ ପ୍ରଥମେ ବିଜ୍ଞାନ ରେଜଲ୍ଟ ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ୍ ପ୍ରାୟ ୩ ଲକ୍ଷ ୫୦ ହଜାର ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି। ବିଜ୍ଞାନରେ ୯୭ ହଜାର ୫୩୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୩ ରୁ ୨୮ ତାରିଖ ଯାଏ ପରୀକ୍ଷା କରିବାକୁ କାର୍ୟ୍ୟସୂଚୀ ସ୍ଥିର ହୋଇଥିଲା। ମାତ୍ର କରୋନା ପାଇଁ ମାର୍ଚ୍ଚ ୨୩ ରୁ ପରୀକ୍ଷାକୁ ବାତିଲ କରାଯାଇଥିଲା। ପରୀକ୍ଷା ହୋଇନଥିବା ବିଷୟରେ ପୂର୍ବ ପରୀକ୍ଷା ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ। ସେହିପରି ବାଣିଜ୍ୟ, କଳା ଓ ଧନ୍ଦା ମୂଳକ ଶିକ୍ଷା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ।