ଭୁବନେଶ୍ୱର: ନିକଟରେ ଏକ ଅଡିଓ କ୍ଲିପ ଏକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଦେଖା ଦେଇଥିବା ତୁମ୍ବି ତୁଫାନ ପରେ ଆଜି ପୁଲିସ ଅଡିଓରେ ବାର୍ତ୍ତାଳାପ କରିଥିବା ଦୁଇ ବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ । ଏହି ଦୁଇଜଣ ହେଲେ ବିଶ୍ବଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା।
ଏହି କଥୋପକଥନ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ ପରେ କ୍ୟାପିଟାଲ ଥାନାରେ ଗଣମାଧ୍ୟମ ବିରୋଧରେ ମାମଲା ହୋଇଥିଲା ।ଏହ ବ୍ୟତୀତ ଗତକାଲି ଉଭୟଙ୍କୁ ପୁଲିସ ଉଠାଇନେଇଥିଲା। ଉଭୟଙ୍କୁ ପଚରାଉଚରା ଚାଲିଥିଲା। କାହା ପ୍ରରୋଚନାରେ ପଡ଼ି ଏଭଳି ଯୋଜନାବଦ୍ଧ ଭାବରେ ଅଡିଓ ଭାଇରାଲ କରାଇଥିଲେ ନା ଏହା ପଛରେ ଆଉ କ’ଣ ଷଡ଼ଯନ୍ତ୍ର ରହିଛି, ତାହାର ଖୋଳତାଡ଼ ହେଉଛି। ଏହି ଅଡିଓକୁ ଯେଉଁମାନେ ବିଭିନ୍ନ ହ୍ବାଟ୍ସ୍ ଆପ୍ ଗ୍ରୁପ୍ରେ ଭାଇରାଲ କରାଇଥିଲେ, ସେହି ଗ୍ରୁପ୍ର ଆଡ୍ମିନ୍ ମଧ୍ୟ ପୁଲିସ ସ୍କାନରକୁ ଆସିଛନ୍ତି। ଘଟଣା ଜଣାପଡ଼ିବା ପରେ ବିଭିନ୍ନ ଗ୍ରୁପ୍ରୁ ଏହି ଅଡିଓକୁ ଆଡ୍ମିନ୍ ଡିଲିଟ୍ କରୁଥିବା ଦେଖାଯାଇଛି।
ଅଗଷ୍ଟ ୬ ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ଏହି ଅଟକ ଦୁଇଜଣ ଫୋନ୍ରେ ହେଉଥିବା ବାର୍ତ୍ତାଳାପର ରେକର୍ଡିଂ ପ୍ରସାରଣ କରିଥିଲା। ଅଡିଓ କ୍ଲିପ୍ରେ ଏହି ଦୁଇଜଣ ପଜିଟିଭ୍ ରିପୋର୍ଟ ନ ଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ବିଭିନ୍ନ ହସ୍ପିଟାଲକୁ ପଠାଯାଉଛି ବୋଲି କଥା ହୋଇଥିଲେ। ରୋଗୀ ପିଛା କେନ୍ଦ୍ର ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ଆସୁଛି, ସେଥିପାଇଁ ଦିନକୁ ଶହେ ରୋଗୀଙ୍କୁ ଏ ସବୁ ହସ୍ପିଟାଲ୍କୁ ପଠାଇବାକୁ ବିଏମ୍ସିର ଟାର୍ଗେଟ୍ ଅଛି ବୋଲି ସେମାନେ କହୁଥିଲେ। ଏହାକୁ ନେଇ ସରକାରର ଭିତିରି ଖବର ପଦରେ ପଡିଯାଇଥିଲା । ଏହାପରେ ପୁଲିସ ପ୍ରଶାସନ ତତ୍ପର ହୋଇଉଠିଥିଲା ।