ଦନ୍ତା ମୃତ୍ୟୁ ଘଟଣା : ଗିରଫ ହେଲେ ଆଉ ୨ ଶିକାରୀ

ଦନ୍ତାହାତୀ ମୃତ୍ୟୁ ଘଟଣାରେ ଗିରଫ ହେଲେ ୨ ଶିକାରୀ

(ନରସିଂହପୁର) : ଦନ୍ତାହାତୀ ମୃତ୍ୟୁ ଘଟଣାରେ ଗିରଫ ହେଲେ ୨ ଶିକାରୀ । ନରସିଂହପୁର ଗୁଳିବିଦ୍ଧ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଦୁଇ ଜଣ ହେଲେ ଜଳନ୍ଧର ନାୟକ ଓରଫ୍ ( ଜଳିଆ) ଏବଂ ବୁଦ୍ଧିମାନ ରାଉତ ଓରଫ୍ (ବୁଦ୍ଧିଆ)। ତେବେ ଗିରଫ ସଂଖ୍ୟା ୫ରେ ପହଞ୍ଚିଛି। ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି ।

ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ବନ ବିଭାଗର ସ୍ବତନ୍ତ୍ର ଟିମ୍ ପୂର୍ବରୁ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଶିକାରୀମାନେ ହେଲେ ସୂର୍ଯ୍ୟମଣି ନାୟକ (୪୨) , ଗଙ୍ଗାଧର ନାୟକ (୬୨) ଏବଂ ଦିବାକର ସାହୁ । ଗିରଫ ଅଭିଯୁକ୍ତଙ୍କ ଘର ନରସିଂହପୁର ଥାନା ଅଂଚଳରେ । ଦନ୍ତାହାତୀକୁ ଦାନ୍ତ ଉଦ୍ଦେଶ୍ୟରେ ଗୁଳି କରି ନ ଥିଲେ ବରଂ ହାତୀ କାଜୁ ବଗିଚା ନଷ୍ଟ କରିଥିବାରୁ ଏମିତି ଗୁଳି କରିଥିବା ଶିକାରୀ ସ୍ପଷ୍ଟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଆଠଗଡ଼ ଡି ଏଫ୍ ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଥିଲେ।

ସୂଚନାନୁଯାୟୀ , ଗତ ୧୫ ତାରିଖରେ ଏକ ଦନ୍ତାକୁ ଶିକାରୀମାନେ ଗୁଳିମାଡ଼ କରିଥିଲେ । ହାତୀ ଦୁଇଟିକୁ କେହି ଦାନ୍ତ ଉଦ୍ଦେଶ୍ୟରେ ହତ୍ୟା କରିଥିବା ପୂର୍ବାନୁମାନ କରାଯାଉଥିଲା । ଆଠଗଡ଼ରେ ହାତୀ ଶିକାର ଏବେ ଚିନ୍ତାର ବିଷୟ ପାଲଟିଛି। ତେବେ ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀଟି ବନବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ବି ବଞ୍ଚିପାରିନଥିଲେ । ଶେଷରେ ୧୬ ତାରିଖରେ ଦନ୍ତାହାତୀଟିର ମୃତ୍ୟୁ ହୋଇଥିଲା ।