ଶବ ଖୋଜୁଛି ଶ୍ମଶାନ

ରାଇରଙ୍ଗପୁର(ସତ୍ୟ ନାରାୟଣ ପାଲ): କରୋନା ମହାମାରୀ ଆଜି ସମାଜ ଭିତରେ ସାମାଜିକ ଦୂରତା ବଢାଇଦେଇଛି । ଅନ୍ଧ ବିଶ୍ବାସରେ ଘାରି ହେଉଛ ସମଗ୍ର ମଣିଷ ଜାତି । ଅକାଳରେ କରୋନା ନେଉଛି ଭେଣ୍ଡିଆରୁ ବୁଢା ସମସ୍ତଙ୍କ ଜୀବନ। ଏଭଳି ସ୍ଥିତିରେ ବିଭିନ୍ନ ସ୍ଥାନରେ ଶବ ଦାହକୁ ନେଇ ଦେଖାଦେଇଛି ବିବାଦ। ଯାହା ପାଇଁ ମାନସିକ ଚାପରେ ପ୍ରଶାସନ । ଗାଁ ଲୋକଙ୍କ ପାଖରୁ ସହଯୋଗ ବଦଳରେ ମିଳୁଛି ମାଡଗାଳି। ଶବଦାହକୁ ନେଇ ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ସମେତ ଉଦଳା ଏବଂ ଠାକୁରମୁଣ୍ଡାରେ ପ୍ରଶାସନ ,ପୋଲିସ ଓ ସ୍ବାସ୍ଥ୍ଯ ବିଭାଗ କର୍ମଚାରୀଙ୍କ ଉପରେ ଗ୍ରାମବାସୀଙ୍କ ଆକ୍ରମଣ ନେଇ ଥାନାରେ ଏତଲା ଦିଆଯାଇଛି ।

ରାଇରଙ୍ଗପୁର କୋଭିଡ ସେଣ୍ଟରରେ କିଛି କରୋନା ରୋଗୀଙ୍କର ମୃତ୍ଯୁ ହୋଇଥିଲା ।ସେମାନଙ୍କ ଶବକୁ ଦାହ ପାଇଁ ବ୍ଯବସ୍ଥା କରୁଥିବାବେଳେ ପଡୋଶୀ ଗ୍ରାମବାସୀଙ୍କ ଆକ୍ରୋଷର ଶିକାର ହୋଇଥିଲା ପ୍ରଶାସନ। ଗୋଟିଏ ଜାଗାରେ ନୁହେଁ ବରଂ ରାତିସାରା ୪ ଜାଗାରେ ପ୍ରଶାସନ ଗ୍ରାମବାସୀଙ୍କ ଗାଳି ଗୁଲଜର ଶିକାର ହୋଇଥିଲେ । ଶେଷରେ ୩୦ ଘଣ୍ଟା ଧରି ଶବକୁ ହସ୍ପିଟାଲରେ ରଖି ପରେ ନିଶାର୍ଦ୍ଧ ରାତିରେ ଶବଦାହ କରିଥିଲେ । ଏହାପରେ ମଣିଷ ପଣିଆ ଉପରେ ଉଠିଛି ପ୍ରଶ୍ନ । ଆଗକୁ ମାଡି ଆସୁଛି କରୋନାର ତୃତୀୟ ଲହର । ଏବେ ଶବଦାହ ବିରୋଧକୁ ନେଇ ବୁଦ୍ଧିଜିବୀ,ସଚେତନ ନାଗରିକ ସଂଘ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମଶାଣିକୁ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଏକ ସର୍ବ ଦଳୀୟ ବୈଠକ ଡକାଯାଇ କରୋନା ଶବଙ୍କ ପାଇଁ ନିଛାଟିଆ ୪/୫ଟି ସ୍ଥାନ ଦେଖାଯାଇଥିଲା । ହେଲେ ଗ୍ରାମବାସୀଙ୍କ ବିରୋଧ‌ ଦେଖି ନେତା ମାନେ ବି ପଛଘୁଞ୍ଚା ଦେଇଛନ୍ତି । ଏହାପରେ ଏକ ନିର୍ବିବାଦୀୟ ଜାଗା ଚିହ୍ନଟ କରି ସେଠାରେ ଶବଦାହ ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜୀବୀମାନେ ଉପଦେଶ ଦେଇଛନ୍ତି। ଉପଖଣ୍ଡ ପ୍ରଶାସନ,ବିଭିନ୍ନ ରାଜନୈତିକ ଦଳର ବଡପଣ୍ଡା,ବୁଦ୍ଧିଜିବୀ ସମସ୍ତେ ପୁନର୍ବାର ଏକାଠି ହୋଇ ଆଉଥରେ ବସି ଏକ ଭଲ ନିଷ୍ପତ୍ତି ନେବାପାଇଁ ସାଧାରଣରେ ଦାବି ହେଉଛି ।