ନୂଆଦିଲ୍ଲୀ : ୨୦୨୧ ବର୍ଷ ପାଇଁ “କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ପଦକ” ୧୫୨ ଜଣ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି। ଏହାର ତାଲିକା ପ୍ରକାଶ ପାଇଛି। ଅପରାଧର ଅନୁସନ୍ଧାନର ଉଚ୍ଚ ବୃତ୍ତିଗତ ମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକ ୨୦୧୮ରେ ଗଠିତ ହୋଇଥିଲା।
ଏହି ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ପୁଲିସ କର୍ମଚାରୀ ରହିଥିବା ଜଣାପଡ଼ିଛି। ୪ଜଣ ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ବାଳ, ସବ- ଇନ୍ସପେକ୍ଟର ତୃପ୍ତି ରଞ୍ଜନ ନାୟକ ଏବଂ ସବ- ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ। ଏହି ୪ଜଣଙ୍କ ବ୍ୟତୀତ ୧୫ଜଣ ସିବିଆଇରୁ, ୧୧ଜଣ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପୁଲିସରୁ, ୧୦ଜଣ ଉତ୍ତରପ୍ରଦେଶରୁ, ୯ ଜଣ କେରଳ ଏବଂ ରାଜସ୍ଥାନ ପୁଲିସରୁ, ୮ ଜଣ ତାମିଲନାଡୁ ପୁଲିସରୁ, ୭ଜଣ ବିହାରରୁ ଓ ଗୁଜୁରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀ ପୁଲିସରୁ ୬ଜଣ ଲେଖାଏଁ ପୁଲିସ କର୍ମଚାରୀ ରହିଛନ୍ତି। ଏଥିମଧ୍ୟରେ ୨୮ ମହିଳା ପୁଲିସ ଅଧିକାରୀ ରହିଥିବା ଜଣାପଡ଼ିଛି।