(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଦେଶରେ ବିଭିନ୍ନ ସମୟରେ ମାଓବାଦୀ ସେମାନଙ୍କ ସ୍ଥିତି ଜାହିର କରିବାରେ ଲାଗିଛନ୍ତି । ଏଥିନେଇ ବହୁ ଧନଜୀବନ ନଷ୍ଟ ମଧ୍ୟହେଉଛି । ପଶ୍ଚିମବଙ୍ଗ ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିବା ମାଓବାଦୀ ଆକ୍ରମଣ ଏବେ ଦେଶର୧୧ଟି ରାଜ୍ୟର ୯୦ ଜିଲ୍ଲାରେ ମାଓ ଆତଙ୍କ ଆଜିବି ରହିଛି। ବିଗତ ୧୦ ବର୍ଷ ମଧ୍ୟରେ ମାଓବାଦୀଙ୍କ ଆକ୍ରମଣରେ ୧୧ଶହ ୫୦ ଜଣ ଯବାନ ସହିଦ ହୋଇଥିବା ବେଳେ ୧୩ଶହରୁ ଅଧିକ ଆହତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ସ୍ଥାନୀୟ ଲୋକଙ୍କଠୁ ଆରମ୍ଭ କରି ବିଭିନ୍ନ ସୁରକ୍ଷା ବଳର ସଦସ୍ୟ ରହିଛନ୍ତି ।
ମାଓବାଦୀ ଦମନ ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ୨୦୨୩ ସୁଦ୍ଧା ଦେଶକୁ ମାଓବାଦୀମୁକ୍ତ କରିବା ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତତ ହୋଇଛି। ଛତିଶଗଡ଼, ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଉତ୍ତରପ୍ରଦେଶ,ପଶ୍ଚିମବଙ୍ଗ ଆଦି ରାଜ୍ୟରେ ମାଓବାଦୀ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଏଠାରେ ମାଓବାଦୀ କାର୍ୟ୍ୟକଳାପ ଉପରେ ରୋକ ପାଇଁ ମିଳିତ ସୁରକ୍ଷାବାହିନୀଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ଥିବା ରିପୋର୍ଟରେ ଦର୍ଶାଯାଇଛି। ମାଓବାଦୀଙ୍କ ଆକ୍ରମଣରେ ୨୦୧୦ରେ ୧୧୯୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୧ରେ ୬୦୬, ୨୦୧୨ରେ ୩୭୪, ୨୦୧୩ରେ ୪୧୮, ୨୦୧୪ରେ ୩୪୯, ୨୦୧୫ରେ ୨୫୫, ୨୦୧୬ରେ ୪୩୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ୨୦୧୭ରେ ୩୩୫ ଜଣ ଲୋକଙ୍କ ମୃତ୍ୟୁ ମାଓବାଦୀଙ୍କ ଆକ୍ରମଣରେ ଘଟିଥିଲା। ସେହିପରି ୨୦୧୮ରେ ୪୧୨ ଜଣ ଏବଂ ୨୦୧୯ରେ ବର୍ତ୍ତମାନ ସୁଦ୍ଧା ୯୨ ଲୋକଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି।