(ରିପୋଟରର୍ସ ଟୁଡ଼େ): ସାମୁଦ୍ରିକ ଝଡ଼ ଫନୀକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲାରେ ରେଡ ଆଲର୍ଟ ଜାରି କରାଯାଇଛି। ୭୦ ରୁ ୮୦ କି.ମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଗଁଦିଆ, ଢେଙ୍କାନାଳ ସଦର ଓ ଭୁବନ ବ୍ଲକରେ ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି ବୋଲି ଗୁରୁବାର ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏହାସହ ୩୦୦୦ରୁ ୫୦୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି। ଏନଡିଆରଏଫ ଟିମ୍ ସଜାଗ ରହିଥିବାବେଳେ ଖାଦ୍ୟ ଓ ମେଡିସିନ୍ ମହଜୁଦ ରହିଛି। ଯାଜପୁରରୁ ସାମୁଦ୍ରିକ ଝଡ଼ ଫନୀ ଢେଙ୍କାନାଳ ଜିଲା ଦେଇ ଅନୁଗୋଳ ଆଡ଼କୁ ଗତି କରିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଅପରପକ୍ଷେ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ପନିପରିବା ଦୋକାନରେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।