ହେଙ୍ଗୁ ବେପାରିଙ୍କ ପାଇଁ ଡାକ୍ତର ହୋଇପାରିଲେନି ଲାଲୁ

(ସରୋଜ କୁମାର ରାଉତ/ ଭୁବନେଶ୍ୱର): ଲାଲୁ ପ୍ରସାଦ ଯାଦବ । ଯାହାଙ୍କ ନାମ ହିଁ ତାଙ୍କ ପରିଚୟ । ବିଧାୟକ, ଦୁଇ ଥର ମୁଖ୍ୟମନ୍ତ୍ରୀ, ଲୋକସଭା ସାସଂଦ, ରାଜ୍ୟସଭା ସାଂସଦ ଏବଂ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ରୂପରେ ସେବା ଦେଇସାରିଥିବା ଲାଲୁ ଯାଦବ ପିଲାବେଳେ ନେତା ନୁହେଁ ଡାକ୍ତର ହେବାକୁ ଚାହିଁନଥିଲେ । ହାତରେ ସିଲାଇ ହୋଇଥିବା ଗୋଟିଏ ବାନିୟନ୍‌ ସାହାରାରେ ପିଲାବେଳ କାଟି ଦେଇଥିବା ଲାଲୁଙ୍କୁ ଭାଷଣ ଦେବା ଏବଂ ଲୋକଙ୍କ ମଧ୍ୟରେ ରହିବା ପସନ୍ଦ । କିନ୍ତୁ କେବେ ସେ ରାଜନୀତିକୁ ଆସିବା ପାଇଁ ଚାହିଁନଥିଲେ । ଆସନ୍ତୁ ଜାଣିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କିଛି ମଜାଦାର କଥା ।
ନିଜର ଆତ୍ମକଥା ଗୋପାଳଗଞ୍ଜରୁ ରାଇସିନା ରେ ସେ ଲେଖିଛନ୍ତି ସ୍କୁଲରେ ଆଡମିଶନ୍‌ ପରେ ସେ ଡାକ୍ତର ହେବାକୁ ଚାହୁଁଥିଲେ । କିନ୍ତୁ ଜଣେ ସାଙ୍ଗଙ୍କଠାରୁ ଜାଣିବାକୁ ପାଇଲେ ଡାକ୍ତରୀ ପଢିବାକୁ ହେଲେ ପ୍ରଥମେ ବାୟୋଲୋଜି ପଢିବାକୁ ପଡେ । ଏହା ପରେ ଜାଣିବାକୁ ପାଇଲେ ପ୍ରାକ୍ଟିକାଲ୍‌ରେ ବେଙ୍ଗ ଚିରବାକୁ ପଡିବ । ଆଉ ଯାହାକୁ ସେ ଘୃଣା କରୁଥିଲେ । ତେଣୁ ଏହା ପରେ ସେ ଡାକ୍ତର ହେବା ସ୍ୱପ୍ନ ଛାଡିଦେଲେ । ବହୁତ ଅଭାବ ଅନାଟନରେ କଟିଥିଲା ଲାଲୁଙ୍କ ଜୀବନ । ପିଲାବେଲେ ପିନ୍ଧିବା ପାଇଁ କପଡା ନଥିବାରୁ ପ୍ରତିଦିନ ଗାଧୋଇ ପାରୁନଥିଲେ ସେ । ସେହିପରି ଥଣ୍ଡା ଦିନେ ଗରମ ପାଇବା ପାଇଁ ନଡାରେ ତିଆରି ସେଜରେ ଶୋଉଥିଲେ । ଆଉ ଖାଇବା ପାଇଁ ଚାଉଳକୁ ସିଝାଇ କ୍ଷୀରରେ ମିଶାଇ ଦେଉଥିଲେ ମା’ ଯାହାକୁ ସେ ସ୍ୱାଦିଷ୍ଟ ଭୋଜନ ଭାବି ଖାଇଦେଉଥିଲେ ।
ଏହି ସମସ୍ୟା ମଧ୍ୟରେ ଏମିତି ଏକ ଘଟଣା ଘଟିଗଲା ଯାହା ସବୁଦିନ ବଦଳାଇଦେଲା ଲାଲୁଙ୍କ ଜୀବନ । ଲାଲୁଙ୍କ ଗାଁରେ ଜଣେ ହେଙ୍ଗୁ ବିକ୍ରି କରୁଥିବା ଲୋକ ରହୁଥିଲେ । ଯାହାଙ୍କ ଝୁଲାକୁ ଦୁଷ୍ଟାମୀ କରି ଲାଲୁ କୁଅରେ ଫିଙ୍ଗି ଦେଇଥିଲେ । ଏହା ପରେ ଉକ୍ତ ବ୍ୟକ୍ତି ଜଣକ ପୁରା ଗାଁରେ ହଙ୍ଗାମା କରିଥିଲେ । ଲାଲୁଙ୍କ ଦୁଷ୍ଟାମୀରେ ବିରକ୍ତ ହୋଇ ମା’ ତାଙ୍କୁ ନିଜ ବଡ଼ ଭାଇ ମୁକୁନ୍ଦଙ୍କ ସହ ପାଟନା ପଠାଇଦେଲେ । ଭାଇ ମୁକୁନ୍ଦ ପାଟନା ଚପରାସୀ ଆବାସ ରେ କାମ କରୁଥିଲେ । ଗାଁରୁ ଆସିବା ପରେ ବଦଳି ଯାଇଥିଲା ଲାଲୁଙ୍କ ଜୀବନ । ଏହା ପରେ ସ୍କୁଲରେ ଆଡମିଶନ ନେଇଥିଲେ ଲାଲୁ । କୁହାଯାଏ ଝିଅଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଥିଲେ ଲାଲୁ । ଆଉ ତାଙ୍କୁ ସମସ୍ତେ ମହାତ୍ମା କହି ଡାକୁଥିଲେ । କାରଣ ସେ ଝିଅମାନଙ୍କୁ ଖୁବ୍‌ ସାହାଯ୍ୟ କରୁଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ଅଧାରୁ ଅଧିକ ବୟସ ହେଲିକପ୍ଟରରେ ବୁଲୁଥିବା ଲାଲୁ ସ୍କୁଲ୍‌ ସମୟରେ ୧୦ କିଲୋମିଟର ପାଦରେ ଚାଲି ଯାଉଥିଲେ ।
କଲେଜ୍‌ ଦିନରେ ଜୟ ପ୍ରକାଶ ନାରାୟଣଙ୍କ ଦ୍ୱାରା ଏମିତି ପ୍ରଭାବିତ ହେଲେ ଲାଲୁ ଯେ ଛାତ୍ର ରାଜନୀତିରେ କରିଥିଲେ ଏଣ୍ଟ୍ରି । ଏହା ପରେ ସେ ଜେପିଙ୍କ ପଛେ ପଛେ ଛାଇ ପରି ରହିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଲାଲୁଙ୍କ ରାଜନୀତି କ୍ୟାରିୟର ।