(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଓଡ଼ିଆ ଝିଅ ଅର୍ପିତା ମହାପାତ୍ର, ବିନା ସ୍ୱାର୍ଥରେ ଭିନ୍ନକ୍ଷମ ପିଲାଙ୍କୁ ସନ୍ତରଣ ବା ସୁଇମିଂ ତାଲିମ ଦେଇ ଆସିଛନ୍ତି। ତାଙ୍କର ଏହି ସଫଳତା ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି। ଅର୍ପିତାଙ୍କ ଜୀବନୀକୁ ‘ହ୍ୟୁମାନ୍ସ ଅଫ୍ ନ୍ୟୁୟର୍କ’ (ହନି) ତା’ର ଫେସବୁକ ପେଜରେ ପୋଷ୍ଟ କରିଛି। ନିକଟରେ ଆବୁଧାବିରେ ଶେଷ ହୋଇଥିବା ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲ୍ଡ ଗେମ୍ସରେ ଭାରତର ସ୍ପେଶାଲ ଅଲିମ୍ପିକ୍ସ କୋଚ୍ ରହିଥିବା ଅର୍ପିତା ଭିନ୍ନକ୍ଷମ ପିଲାମାନଙ୍କୁ ସ୍ୱଇଚ୍ଛାରେ ଓପନ୍ ୱାଟରରେ ସୁଇମିଂ ଶିଖାଉଛନ୍ତି। ତାଙ୍କର ଏହି ଉଦ୍ୟମ ଦ୍ୱାରା ଶତାଧିକ ଭିନ୍ନକ୍ଷମ ପିଲା ଏବେ ସକ୍ଷମ ସନ୍ତରଣକାରୀ ହୋଇପାରିଛନ୍ତି।
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଅମାରିଆ ଗାଁର ଅର୍ପିତା ରାଜ୍ୟର ବିଭିନ୍ନ ଗାଁ ବୁଲି ଦିବ୍ୟାଙ୍ଗ ବା ଭିନ୍ନକ୍ଷମ ପିଲାମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ହାତ ବଢ଼ାଇଛନ୍ତି। ଏବେ ସେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାମ ହୋଇପାରିଛନ୍ତି। ବିଶେଷକରି ହ୍ୟୁମାନ୍ସ ଅଫ ନ୍ୟୁୟର୍ସ ପେଜରେ ତାଙ୍କ ଉତ୍ସର୍ଗୀକୃତ ଜୀବନ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କର ହଜାର ହଜାର ଲୋକ ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି। ଏହି ପୋଷ୍ଟ ସୁଇମିଂ କୋଚ୍ ଅର୍ପିତାଙ୍କ ଅସାଧାରଣ ଜୀବନଯାତ୍ରା ଉପରେ ଆଧାରିତ।