ହତ୍ୟାକାଣ୍ଡକୁ ପୁରିଲା ବର୍ଷେ, ଏଯାଏ ମିଳିନି ନ୍ୟାୟ

(ପ୍ରଶାନ୍ତ କୁମାର ସ୍ୱାଇଁ/ପାରାଦ୍ଵୀପ): ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜଣେ ଯୁବକଙ୍କ ହତ୍ୟା ଘଟଣାକୁ ବର୍ଷେ ପୁରିଥିଲେ ବି ଏଯାଏ ଦୋଷୀ ଧରାପଡିନାହିଁ । କୁଜଙ୍ଗ କୋର୍ଟରେ କେସ୍ ପଡି ରହିଥିଲେ ବି ଘଟଣାର ତଦନ୍ତରେ କୌଣସି ଅଗ୍ରଗତି ହେଉ ନଥିବା ମୃତ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, କୁଜଙ୍ଗ କୋର୍ଟରେ ମୋହରିଅର ଭାବେ କାର୍ଯ୍ୟରତ ଥିବା ରମାକାନ୍ତ ଦାଶଙ୍କ ପୁଅ ଅମୃତ ଦାଶ ପାରାଦ୍ୱୀପର ଏକ କାରଖାନାରେ ଚାକିରୀ କରୁଥିଲେ । ଗତବର୍ଷ ଜୁଲାଇ ମାସରେ କିଛି ଯୁବକ ତାଙ୍କୁ ବାଧ୍ୟ କରି ଘରୁ ଡାକି ନେଇଥିଲେ । କିନ୍ତୁ ତା ପର ଠାରୁ ସେ ଆଉ ଘରକୁ ଫେରି ନଥିଲେ । ପୁଅର ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଘଟଣାର ୭ ମାସ ପରେ ଏହା ଦୂର୍ଘଟଣା ନୁହେଁ ଏକ ସୁଚିନ୍ତିତ ହତ୍ୟା ବୋଲି ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ ପାଇଁ ଯୁବକଙ୍କ ବାପା ଓ ମଆ କୁଜଙ୍ଗ କୋର୍ଟରେ ଅପିଲ କରିଥିଲେ । ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ କୁଜଙ୍ଗ ପୁଲିସ ବିଭିନ୍ନ ଦଫାରେ କେସ ରୁଜୁ କରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ତଦନ୍ତ ଆଗେଇ ପାରିନାହିଁ । ତେବେ ତଦନ୍ତରେ ଅଗ୍ରଗତି ହେଉ ନଥିବାରୁ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି ମୃତ ଯୁବକଙ୍କ ମାଆ ସୁଲୋଚନା ଦାଶ । ପୁଣି କୌଣସି ତଥ୍ୟ ପ୍ରମାଣ ନଥିବା ଦର୍ଶାଇ ପୋଲିସ ଏହି ମାମଲାକୁ ଏବେ ରଫାଦଫା କରିଦେଇଥିବା ପରିବାର ଲୋକେ କହିଛନ୍ତି ।