ସୋନିଆଙ୍କୁ ଛାଡି ମୋଦିଙ୍କୁ ଧରିଲେ ଟମ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସୋନିଆ ଗାନ୍ଧିଙ୍କ ଅତି ଘନିଷ୍ଠ ଥିବା ଟମ୍‌ ଭାଡ଼କ୍କନ୍‌ ହାତ ଛାଡ଼ି ପଦ୍ମ ଧରିଛନ୍ତି। ସାଧାରଣ ନିର୍ବାଚନର ଅବ୍ୟାବହତି ପୂର୍ବରୁ ସେ ଦଳ ଡିଆଁ ମାରିଛନ୍ତି । ତାମିଲନାଡ଼ୁରୁ ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ବିପକ୍ଷରେ ବିଜେପି ପାଇଁ ପ୍ରାର୍ଥୀ ହେବେ ।
ଦଳ ଛାଡିବା ସମ୍ପର୍କରେ ଟମ କହିଛନ୍ତି, କଂଗ୍ରେସ ଗତ କିଛି ଦିନ ଧରି ଭାରତୀୟ ସେନାର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇ ରାଷ୍ଟ୍ର ଦ୍ରୋହୀ ହୋଇଛି । ଏହା ତାଙ୍କୁ ଗଭୀର ଆଘାତ ଦେଇଛି । ତେଣୁ ସେ ଏହି ରାଷ୍ଟ୍ର ଦ୍ରୋହୀ ଦଳରେ ରହିବାକୁ ଇଛୁକ ନୁହନ୍ତି ।

ଗତ ୨୦ ବର୍ଷ ଧରି କଂଗ୍ରେସରେ ରାଜନୀତି କରୁଥିବା ଟମ୍‌, କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପାକିସ୍ତାନୀ ଆତଙ୍କବାଦୀ ଆମ ଦେଶ ଉପରେ ଆକ୍ରମଣ କରିବା ସମୟରେ ମୋ ଦଳର ପ୍ରତିକ୍ରୟା ଦୁଃଖଦ ଥିଲା ଏବଂ ଏହା ବ୍ୟକ୍ତିଗତ ଭାବରେ ମୋତେ ଆଘାତ ପହଞ୍ଚାଇଥିଲା। ଯଦି ଏକ ରାଜନୀତିକ ଦଳ ଦେଶ ବିରୋଧରେ ମନ୍ତବ୍ୟ ଦେଉଥାଏ, ସେହି ଦଳ ଛାଡ଼ିବା ବ୍ୟତୀତ ମୋ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା।