(ରିପୋର୍ଟସଟୁଡେ): କୋରୋନା ମୁକାବିଲା ପାଇଁ ପୁରୀ ଶ୍ରୀମନ୍ଦିରରେ କଟକଣା । ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସୁରକ୍ଷିତ ପୂଜା ଏବଂ ଦର୍ଶନ ବ୍ୟବସ୍ଥା ସହ କୋରୋନା ସଂକ୍ରମଣ ରୋକିବା ପାଇଁ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ୟ୍ୟନ୍ତ ଭିତରେ କାଠ ଦର୍ଶନ ମନା ।
କୋରୋନା ସଂକ୍ରମଣ ମୁକାବିଲା ପାଇଁ ଶ୍ରୀମନ୍ଦିରରେ କେତେକ ପୂଜାବିଧି ଏବଂ ପରମ୍ପରା ଉପରେ କଟକଣା କରାଯାଇଛି । ଧାଡି ମାଧ୍ୟମରେ ଭିତର କାଠ ନିକଟରୁ ଭକ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ଶ୍ରୀମନ୍ଦିରରେ ଅରୁଣ ସ୍ତମ୍ଭ, ଗରୁଡ ସ୍ତମ୍ଭ ତଥା କୌଣସି ଦେବାଦେବୀ, ବାହନଙ୍କ ମୂର୍ତ୍ତି କିମ୍ବା ଅନ୍ୟବସ୍ତୁକୁ ଛୁଇଁବା ଉପରେ କଟକଣା ଲାଗିଛି । ଜଗମୋହନ ଓ ଅରୁଣ ସ୍ତମ୍ଭ ନିକଟରେ ଜନସମାଗମ, ଆନନ୍ଦ ବଜାରରେ ବସି ଖାଇବା ଓ ଭୋଜନ ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ , ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀମନ୍ଦିର ମଧ୍ୟରେ ମାସ୍କର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ସେହିପରି ଶ୍ରୀମନ୍ଦିରରେ ପୂଜା ସମୟରେ ସେବାୟତ ମାସ୍କ ପିନ୍ଧିବେ । ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ନିଜ ସମ୍ପର୍କରେ ସୂଚନା ଦେବେ । କୋରୋନା ସତର୍କତାକୁ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଆଜି ଏହି ସବୁ ନିଷ୍ପତି ହୋଇଛି ।
ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧକ୍ଷତାରେ ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏସପି, ପ୍ରାଶାସନିକ ଅଧିକାରୀ, ନୀତି ପ୍ରଶାସକ ଓ ସେବାୟତମାନେ ଉପସ୍ଥିତ ଥିଲେ । ନୀତିକାନ୍ତି, ସେବାପୂଜା ଓ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି ।
ସାରା ବିଶ୍ୱକୁ ଆତଙ୍କିତ କରିଛି କୋରୋନା ଭାଇରସ । ଭାରତରେ ମଧ୍ୟ ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୦୭ଜଣ ବ୍ୟକ୍ତି କୋରୋନାରେ ଆକାନ୍ତ ଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି । କୋରୋନା ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।