ଶେଷରେ ସୀମାଞ୍ଚଳଙ୍କ ଅନ୍ତିମ ସଂସ୍କାର କଲେ ପରିବାର ଲୋକେ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ବୋଲି କୁହାଯାଉଥିବା ସୀମାଞ୍ଚଳ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଏଯାଏଁ କୌଣସି ସଠିକ୍ ସୂଚନା ମିଳିପାରିନାହିଁ। ସେ ମୃତ ନା ଜୀବିତ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ଫଳରେ ପୁଅ ଫେରିବା ବାଟକୁ ଚାହିଁ ରହିଥିବା ପରିବାର ଲୋକେ ଶେଷରେ ପ୍ରତୀକ ଭାବେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି। କିଛି ପାଳ ନଡ଼ାକୁ ବିଡ଼ା ବାନ୍ଧି ମଶାଣିକୁ କୋକେଇରେ ନେବା ସହ ସତ୍କାର କାମ କରିଛନ୍ତି।
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗହଙ୍ଗୁ ଗାଁର ସୀମାଞ୍ଚଳ ପରିଡା। ବିସ୍ଫୋରଣ ପରଠାରୁ ତାଙ୍କ ଖୋଜଖବର ମିଳୁନି। ସେ ଏବେ ମୃତ କି ଜୀବିତ ସେ ନେଇ ସରକାରୀ ସୁତ୍ରରୁ ସ୍ପଷ୍ଟ କରାଯାଇନି। ପୂର୍ବରୁ ବିସ୍ଫୋରଣରେ ମୃତ ଗଞ୍ଜାମ ଜିଲ୍ଲା ରଘୁନାଥ ନଗରର ଜଣେ ବ୍ୟକ୍ତିଙ୍କ ମୃତଦେହ ଗାଁକୁ ଅଣାଯାଇଥିଲା। ହେଲେ ସୀମାଞ୍ଚଳଙ୍କ ଖବର ନ ମିଳିବାରୁ ପରିବାର ଲୋକେ ତାଙ୍କର ପ୍ରତୀକ ସଂସ୍କାର କରିଛନ୍ତି। ଏଭଳି ଢଙ୍ଗରେ ଅନ୍ତିମ ସଂସ୍କାର କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।