ଲଘୁଚାପ ବର୍ଷାରେ ବେହାଲ କପ୍ତିପଦା ଉପଖଣ୍ଡର ତଳିଆ ଅଞ୍ଚଳ

(ଦୀପକ ମିଶ୍ର/ଉଦଳା): ଲଘୁଚାପ ଜନିତ ଲଗାଣ ବର୍ଷାରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଦେଓ, ସୋନ ଓ କାଳ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଉପଖଣ୍ଡର ବିଭିନ୍ନ ତଳିଆ ଅଞ୍ଚଳ ଗୁଡିକରେ ପାଣି ପଶିବା ଯୋଗୁ କିଛି ସ୍ଥାନରେ କଚା ଘରର କାନ୍ଥ ପଡିଯାଇଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ କପ୍ତିପଦା ବ୍ଲକର ପଥର ସାହି, ବେଲଡିହା, ଯିବିନଗର ବ୍ଲକର ଜୟପୁର, ନୂଆଗାଁ ଏବଂ ଉଦଳା ବ୍ଲକ ବୈରାଟପୁର ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇଥିବାରୁ ଚାଷୀ ଏବେ ଚିନ୍ତାରେ ରହିଛନ୍ତି । ଜମିରେ ପାଣି ମାଡିଯିବାରୁ ଏବର୍ଷ ଚାଷ ନଷ୍ଟ ହୋଇଛି । ଏଣୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ପ୍ରଶାସନକୁ ନିବେଦନ କରିଛନ୍ତି । ଅନ୍ୟପଟେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଖଣ୍ଡ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ଭଗବାନ ବେହେରା ସୂଚନା ଦେଇଛନ୍ତି ।