ରାମ ଜେଠମଲାନିଙ୍କ ପରଲୋକରେ ଓଡ଼ିଶା ରାଜ୍ୟ ଆଇନଜୀବି ସଂଘର ସଭାପତିଙ୍କ ଶୋକ ପ୍ରକାଶ

( ଶେଖ୍ ଅରଶଦ୍ ଉଲ୍ ହକ୍ ) ଖୋର୍ଦ୍ଧା: ପ୍ରଖ୍ୟାତ ଆଇନଜୀବି ସାଂସଦ ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରାମ ଜେଠମଲାନିଙ୍କର ଆଜି ପ୍ରତ୍ୟୁଷରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ୧୯୨୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ସିନ୍ଧ୍ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ରାମ ଜେଠମଲାନି । ସେ ସୁପ୍ରିମ କୋର୍ଟ ହାଇକୋର୍ଟ ଏବଂ ନିମ୍ନ ଅଦାଲତମାନଙ୍କରେ ଅନେକ ଗୁରୁତପୂର୍ଣ୍ଣ ମାମଲା ଗୁଡ଼ିକ ଲଢିଥିଲେ । ସ୍ୱର୍ଗତ ଅଟ୍ଟଳବିହାରୀ ବାଜେପେୟୀଙ୍କର ସରକାରରେ କେନ୍ଦ୍ର ଆଇନମନ୍ତ୍ରୀ ଭାବରେ ସଫଳତାର ସହିତ କାର୍ଯ୍ୟ କରିଥିଲେ । ତାଙ୍କର ବିୟୋଗରେ ଦେଶ ଜଣେ ପ୍ରଖ୍ୟାତ ତଥା ବିଚକ୍ଷଣ ଆଇନଜ୍ଞ ଏବଂ ଜଣେ ରାଜନୈତାଙ୍କୁ ହରାଇଲା ବୋଲି ରାଜ୍ୟ ଆଇନ ଜୀବି ସଂଘର ସଭାପତି ବିଚିତ୍ର କୁମାର ବଡ଼ଜେନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହା ସହିତ ତାଙ୍କର ଅମର ଆତ୍ମାର ସଦଗତି ଏବଂ ତାଙ୍କର ସମ୍ମାନାର୍ଥେ ରାଜ୍ୟର ସମସ୍ତ ବାର ଆସୋସିଏସନ୍ ପକ୍ଷରୁ ଗୋଟିଏ ଦିନ ଶୋକ ଦିବସ ପାଳନ କରିବା ସହିତ କାର୍ଯ୍ୟ ବନ୍ଦ କରିବାକୁ ସେ ନିବେଦନ କରିଛନ୍ତି ।