ମୃତ ଶିଶୁ ଜନ୍ମ ହୋଇଥିବା ନେଇ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଦାୟୀ କଲେ ପିଡିତା

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ମୃତ ଶିଶୁ ଜନ୍ମ ହୋଇଥିବା ନେଇ ଉତ୍ତେଜନା ପ୍ରକାଶ ପାଇଛି ।ତେବେ ମହିଳା ଜଣକ ମୃତ ଶିଶୁ ଜନ୍ମ କରିଥିବା ଘଟଣା ଏବେ ଡାକ୍ତରଖାନାରେ ଅଶନ୍ତୋଷର ବାତାବରଣ ଖେଳାଇ ଦେଇଛି । ଏନେଇ ମହିଳାଙ୍କ ପରିବାର ଲୋକେ ଡାକ୍ତର ଏବଂ ନର୍ସଙ୍କ ଅବହେଳାକୁ ଦାୟୀ କରିଥିଲେ। ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ମେଡିକାଲ ପରିସରରେ ପୁଲିସ ମୁତୟନ କରାଯାଇଛି।
ସୂଚନା ଅନୁସାରେ, ବାରିପଦା ସଦର ଥାନା ଅନ୍ତର୍ଗତ ଶାମାଖୁଣ୍ଟା ବ୍ଲକ ଅଞ୍ଚଳର ବଜ୍ରତୁଣ୍ଡି ଗାଁର ଚନ୍ଦନ ବେହେରାଙ୍କ ପତ୍ନୀ ସୁରେଖା ବୁଧବାର ଦିନ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ ଗତକାଲି ରାତିରେ ତାଙ୍କର ପ୍ରସବ ବେଦନା ଅଧିକ ହେବାରୁ ତାଙ୍କ ପରିବାର ଲୋକେ ଡ୍ୟୁଟିରେ ଥିବା ନର୍ସଙ୍କୁ ଡାକ୍ତରଙ୍କୁ ଡାକିବା ପାଇଁ କହିଥିଲେ। ହେଲେ ନର୍ସମାନେ ତାଙ୍କ କଥା ଶୁଣି ନଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କ ପରିବାର ଲୋକେ ସିଜୋରିଆନ୍‌ ପାଇଁ ନିବେଦନ କରିଥିଲେ। ହେଲେ ସ୍ୱାଭାବିକ ଭାବେ ଡେଲିଭରୀ ବୋଲି କହି ସମୟ ଗଡ଼ାଇ ଦେଇଥିଲେ। ତେବେ ମଧ୍ୟରାତ୍ରିରେ ମହିଳା ଜଣକ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ। ଡାକ୍ତରଙ୍କ ଅବହେଳା ଯୋଗୁ ମୃତ ଶିଶୁ ଜନ୍ମ ହୋଇଥିବା ମହିଳା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଡାକ୍ତର କିମ୍ୱା ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।