ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସେପ୍ଟେମ୍ବରରେ ସରିବାକୁ ଯାଉଥିବାବେଳେ ଏହାକୁ ଆଗକୁ ନବଢାଇବା ଲାଗି ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କୁ କହିଛି। ଏଥିପାଇଁ ସରକାରଙ୍କୁ ବ୍ୟାପକ ଆର୍ଥିକ ବୋଝ ବୋହିବାକୁ ପଡୁଛି। ସରକାର ଯଦି ଏହାକୁ ଆଗକୁ ବଢାନ୍ତି ତେବେ ଦେଶରେ ଗୁରୁତ ଆର୍ଥିକସଙ୍କଟ ପରିସ୍ଥିତି ସୃଷ୍ଟି ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଯୋଜନାରେ ସରକାରଙ୍କୁ ୨.୬୦ ଲକ୍ଷ କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ହୋଇସାରିଲାଣି। ସେପ୍ଟେମ୍ବର ୨୦୨୨ ସୁଦ୍ଧା ଆହୁରି ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ୨୦୨୦ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଯୋଜନାରେ ସେପ୍ଟେମ୍ବର ସୁଦ୍ଧା ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ୮୦ ଲକ୍ଷ ହିତାଧିକାରୀ ଲାଭବାନ ହେଉଥିବା ଜଣାପଡିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କୁ ପ୍ରତିକୂଳ ରିପୋର୍ଟ ପ୍ରଦାନ କରିଛି। କାରଣ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା, ୟୁରିଆ ସବସିଡି, ଗ୍ୟାସ ସବସଡି, ପେଟ୍ରୋଲ, ଡିଜେଲ ଉତ୍ପାଦ ଶୁକ୍ଳ, ଅନ୍ୟାନ୍ୟ ଜିନିଷ ଉପରେ ଉତ୍ପାଦ ଶୁକ୍ଳ କମାଇବା ପରେ ଗୁରୁତର ଆର୍ଥିକ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ରାଜକୋଷରୁ ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ ମାସ ସୁଦ୍ଧା ୭୪,୮୪୬ କୋଟି ଟଙ୍କାର ଆର୍ଥିକ ବୋଝ ପଡିଛି।