ମୁମ୍ବାଇ : ବିଜେପି ସହିତ ସମ୍ପର୍କ ରଖିବା ଶିବସେନାକୁ ଶେଷରେ ମହଙ୍ଗା ପଡିଲା । ଗତ ୩୩ ବର୍ଷର ଏହି ବନ୍ଧୁତାରେ ମହାରାଷ୍ଟ୍ରରେ ବିଜେପିର ପତିଆରା ବୃଦ୍ଧି ପାଉଥିବା ବେଳେ ଶିବସେନାର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏକ ଆକଳନ ଅନୁସାରେ, ଶିବସେନାର ଆସନ ସଂଖ୍ୟା ୭୩ରୁ ୫୬ ହୋଇଥିବା ବେଳେ ବିଜେପି ୪୨ରୁ ବୃଦ୍ଧି ପାଇ ୧୦୬ ଆସନ ସଂଖ୍ୟା କରିବାରେ ସଫଳ ହୋଇଛି । ଅର୍ଥାତ ବିଜେପି ୧୫୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଶିବସେନା ୨୪ ପ୍ରତିଶତ ହ୍ରାସ ପାଇଛି । ଯାହା ୩୩ ବର୍ଷର ସମୀକରଣକୁ ଏବେ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । କିନ୍ତୁ ୧୯୮୪ରେ ଦୁଇ ଦଳ ମଧ୍ୟରେ ହୋଇଥିବା ମେଣ୍ଟରେ ଦୃଢ଼ତା ଦେଖା ଦେଇ ନଥିଲା । ୧୯୮୯ରେ ଅର୍ଥାତ ପ୍ରାୟ ୩୩ ବର୍ଷ ତଳେ ଶିବସେନା ସହିତ ବିଜେପି ମେଣ୍ଟ କରିବା ସିଲସିଲା ଆରମ୍ଭ ହୋଇଥିଲା । ତେବେ ସେ ସମୟରେ ଶିବସେନାର ନେତା ମନୋହର ଯୋଶୀଙ୍କ ସମେତ ଦୁଇ ଜଣ ଲୋକସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ମାତ୍ର ସେମାନେ ପରାସ୍ତ ହୋଇଥିଲେ । ତେବେ ଏହି ମେଣ୍ଟ ପଛରେ ବିଜେପିର ତକ୍ରାଳୀନ ମହାସଚିବ ତଥା ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ ପ୍ରଚ୍ଛନ୍ନ ହାତ ରହିଥିବା କୁହାଯାଉଛି । ଆଉ ସେ ସମୟରେ ଶିବସେନା ମୁଖ୍ୟ ବାବାସାହେବ ବାଲ ଠାକରେଙ୍କ ସହିତ ପ୍ରମୋଦଙ୍କ ଭଲ ସମ୍ପର୍କ ରହିଥିଲା । ତେଣୁ ମହାରାଷ୍ଟ୍ରରେ ଶିବସେନା ସହିତ ମେଣ୍ଟ କରି ବିଜେପି ତାର ସ୍ୱାର୍ଥ ହାସଲ କରିବା ଦିଗରେ ସଫଳ ହୋଇଥିଲା । କାରଣ ଦୁଇ ଦଳର ଆଦର୍ଶ ଓ ନୀତି ପ୍ରାୟ ସମାଜ ରହିଥିଲା । ଏଥିସହିତ ସମଗ୍ର ଦେଶରେ ବିଜେପି ତାର କାୟା ବିସ୍ତାର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା ।
ବାଲା ସାହେବଙ୍କ ନେତୃତ୍ୱରେ ମହାରାଷ୍ଟ୍ର ରାଜନୀତିରେ ଶିବସେନା ବଡ ଭାଇର ଦାୟିତ୍ୱ ବହନ କରିଥିଲା । ଏହି ମେଣ୍ଟ ହେବା ସମୟରେ ଉଭୟ ଶିବସେନା ଓ ବିଜେପି ମଧ୍ୟରେ ଏକ ବୁଝାମଣା ହୋଇଥିଲା । ଆଉ ଏହି ଅନୁସାରେ ଲୋକସଭା ନିର୍ବାଚନରେ ବିଜେପି ଅଧିକ ଆସନରେ ନିର୍ବାଚନ ଲଢ଼ିଥିବା ବେଳେ ବିଧାନସଭା ନିର୍ବାଚନରେ ଶିବସେନା ଅଧିକ ଆସନରେ ନିର୍ବାଚନ ଲଢ଼ିବ । ୧୯୯୦ ବିଧାନସଭା ନିର୍ବାଚନରେ ଶିବସେନା ୨୮୮ ବିଧାନସଭା ଆସନରୁ ୧୮୩ଟି ଆସନରେ ନିର୍ବାଚନ ଲଢ଼ିଥିଲା । ଆଉ ବିଜେପି ୧୦୪ଟି ଆସନରେ ନିର୍ବାଚନ ଲଢ଼ିଥିଲା । ଏହି ନିର୍ବାଚନରେ ଶିବସେନାକୁ ୫୨ଟି ଆସନ ମିଳିଥିବା ବେଳେ ବିଜେପି ୪୨ଟି ଆସନରେ ବିଜୟୀ ହୋଇଥିଲା । ୧୯୯୫ରେ ଶିବସେନା ୧୭୧ରୁ ୭୩, ବିଜେପି ୧୧୭ରୁ ୬୫, ୧୯୯୯ରେ ଶିବସେନା ୧୬୧ରୁ ୬୯ ଓ ବିଜେପି ୧୧୭ରୁ ୫୬ ଆସନ ମିଳିଥିଲା ।
ସେହିପରି ୨୦୦୪ରେ ଶିବସେନା ୧୬୩ରୁ ୬୨ ଓ ବିଜେପି ୧୧୧ରୁ ୫୪, ୨୦୦୯ରେ ଶିବସେନା ୧୬୦ରୁ ୪୫ ଓ ବିଜେପି ୧୧୯ରୁ ୪୬ଟି ଆସନ ପାଇଥିଲା । କିନ୍ତୁ ବିନା ମେଣ୍ଟରେ ଉଭୟ ବିଜେପି ଓ ଶିବସେନା ୨୦୧୪ ନିର୍ବାଚନ ଲଢ଼ିଥିଲେ । ଫଳରେ ଶିବସେନା ୨୮୨ ଆସନରୁ ୬୩ ଏବଂ ବିଜେପି ୨୬୦ ରୁ ୧୨୨ଟି ଆସନରେ ବିଜୟୀ ହୋଇଥିଲେ । ପରେ ୨୦୧୯ରେ ଶିବସେନା ୧୨୬ରୁ ୫୬ ଏବଂ ବିଜେପି ୧୬୪ରୁ ୧୦୬ଟି ଆସନରେ ବିଜୟୀ ହୋଇଥିଲେ । ତେଣୁ ଗତ ୩୦ ବର୍ଷ ମଧ୍ୟରେ ବିଜେପି ୪୨ରୁ ୧୦୬ ଆସନକୁ ବୃଦ୍ଧି ପାଇଥିବା ବେଳେ ଶିବସେନା ୫୨ରୁ ୫୬ରେ ପହଞ୍ଚିଥିବା ଜଣାପଡିଛି । ୨୦୧୪ରେ ଏହି ମେଣ୍ଟ ଭାଙ୍ଗି ବିଜେପି ନେତା ଫଡନାବିସ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ତେଣୁ ଏହି ତଥ୍ୟ ଅନୁସାରେ ବିଜେପି ଦୃତ ଗତିରେ ତାର ଆସନ ସଂଖ୍ୟା ବୃଦ୍ଧି କରୁଥିବା ବେଳେ ଶିବସେନା ନିଜର ଆସନ ସଂଖ୍ୟା ହ୍ରାସ ହେବାରେ ଲାଗିଛି । ଫଳରେ ଶିବସେନା ଖସୁଛି ଓ ବିଜେପି ହସୂଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଇତିମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କାରଣ ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ବିରୋଧରେ ଶିବସେନା ପକ୍ଷରୁ ହୋଇଥିବା ଅପିଲ ଉପରେ ସୁପ୍ରିମକୋର୍ଟ ରହିତାଦେଶ ପ୍ରଦାନ କରିନଥିଲେ । ଫ୍ଲୋର ଟେଷ୍ଟ ଦେଇ ଶିବସେନା ତାଙ୍କର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ସୁପ୍ରିମକୋର୍ଟ ରାୟ ଦେବା ପରେ ଶ୍ରୀ ଠାକରେ ଇସ୍ତଫା ପ୍ରଦାନ କରିଛନ୍ତି ।