(ରିପୋର୍ଟସଟୁଡେ): ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ତରେଇକେଲା ବୁଲାଣିରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକମାନେ ହେଲେ ଏସ୍.କେ ମାହିସିନ୍ ଜାମେଦର , ଅଲି ଆସଗର ଖାନ୍ ଓ ଏସ୍. କେ ନାଜରୁଲ୍ ଜାମଦର। ସମସ୍ତଙ୍କ ଘର ପଶ୍ଚିମବଙ୍ଗରେ। ସମସ୍ତେ ଟାଇଲ କରିଗର ବୋଲି ଜଣାପଡ଼ିଛି। ଗୁରୁତର ରତ୍ନାକର ପୁଟେଲ,ସାହେବ ହୁସେନ, ସୁଶିଳ ପ୍ରଧାନ ଓ ପ୍ରଦୀପ ଅଗ୍ରୱାଲଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଗତକାଲି ଟାଇଲ କରିଗରମାନେ ବୋଲେରୋରେ ଝାରସୁଗୁଡ଼ାରୁ ବଲାଙ୍ଗିର ଅଭିମୁଖେ ଯାଉଥିଲେ। ତରେଇକେଲା ବୁଲାଣିରେ ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।