ନୂଆଦିଲ୍ଲୀ: ସାରା ଦେଶରେ ଦ୍ରୁତଗତିରେ ହ୍ରାସ ପାଉଛି ଭୂତଳ ଜଳସ୍ତର। ଏହାକୁ ଦୃଷ୍ଟିରେ ରଖି ଭୂତଳ ଜଳ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ଏଣିକି ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ ଅଧିନରେ ଥିବା କେନ୍ଦ୍ରୀୟ ଭୂତଳ ଜଳ କର୍ତ୍ତୃପକ୍ଷ- ‘ସିଜିଡବ୍ଲୁଏ’ର ବିନା ଅନୁମତିରେ ବ୍ୟବହାର କରିହେବନି ଭୂତଳ ଜଳ। ଏନେଇ ବିଭାଗ ପକ୍ଷରୁ ଖବରକାଗଜରେ ବିଜ୍ଞପ୍ତି ଦିଆଯାଇଛି। ତେବେ ଆପାର୍ଟମେଣ୍ଟ, ହାଉସିଂ ସୋସାଇଟି, ସହରାଞ୍ଚଳରେ ସରକାରଙ୍କ ଜଳ ଯୋଗାଣ ବ୍ୟବସ୍ଥା, ବହୁ ପରିମାଣରେ ପାଣି ଯୋଗାଣ, ଶିଳ୍ପ ସଂସ୍ଥା, ଭିତିଭୂମି ସଂସ୍ଥା, ଖଣି ପ୍ରକଳ୍ପ ପାଇଁ ଭୂତଳ ଜଳ ଯୋଗାଣ କ୍ଷେତ୍ରରେ ଏହି କଟକଣା ଲଗାଯାଇଛି। ଏପରିକି ସୁଇମିଂ ପୁଲ କରିବା ପାଇଁ ଭୂତଳ ଜଳ ବ୍ୟବହାର କରିବାକୁ ଚାହୁଁଥିଲେ ମଧ୍ୟ ସିଜିଡବ୍ଲୁଏର ଅନୁମତି ନେବାକୁ ପଡିବ। ଏଥିପାଇଁ ୧୦ହଜାର ଟଙ୍କାର ପଞ୍ଜୀକରଣ ଫି ଦାଖଲ କରିବାକୁ କୁହାଯାଇଛି। ଏପରିକି ସିଜିଡବ୍ଲୁଏର ଅନୁମତି ନନେଇ ଭୂତଳ ଜଳ ବ୍ୟବହାର କରୁଥିଲେ କଡା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।