ଭାରତୀୟ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୭୦୦ ଲୋକଙ୍କ ଉପରେ ପରୀକ୍ଷଣ ହେବ

ନୂଆଦିଲ୍ଲୀ: କରୋନା ମହାମାରୀରକୁ ପ୍ରତିହତ କରିବାକୁ ଭାରତରେ ତିନିଟି କୋଭିଡ -୧୯ ଟିକା ଆଗରେ ରହିଛି। ସେ ଗୁଡିକ ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଓ ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି । ଏହି ତିନିଟି କୋଭିଡ୍‌ -୧୯ ଟିକା ମଧ୍ୟରେ ଭାରତର ସେରମ୍‌ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ ଟିକା‌, ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ଜାଏଡସ୍‌ କ୍ୟାଡିଲାର ଜାଇକୋଭି-ଡି ରହିଛି ବୋଲି ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗଭ କହିଛନ୍ତି ।
ଡାକ୍ତର ଭାର୍ଗଭ କହିଛନ୍ତି, ସେରମ୍‌ ଇନଷ୍ଟିଚ୍ୟୁଟର ଟିକା ଦ୍ୱିତୀୟ ପର୍ୟ୍ୟାୟ (ବି)ରେ ରହିଛି । ତୃତୀୟ ପର୍ୟ୍ୟାୟ ପରୀକ୍ଷଣରେ ୧,୭୦୦ ଲୋକ ଅଂଶଗ୍ରହଣ କରିବେ । ଭାରତ ବାୟୋଟେକ୍ ଟିକା‌ ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ କରିଥିବା ବେଳେ ଏବଂ ଜାଏଡସ୍‌ କ୍ୟାଡିଲା ଟିକାର ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷଣ ସରିଛି ଏବଂ ୫୦ ଜଣ ଏଥିରେ ଭାଗ ନେଇଛନ୍ତି । ଟିକାଗୁଡ଼ିକର କ୍ଲିନିକାଲ୍‌ ବିକାଶ ହେଉଛି ଏକ ତିନି ପର୍ୟ୍ୟାୟ ପ୍ରକ୍ରିୟା । ପ୍ରଥମ ପର୍ୟ୍ୟାୟରେ ଅଳ୍ପ ଲୋକମାନଙ୍କୁ ନେଇ ଟିକା ପରୀକ୍ଷଣ କରାଯାଇଥାଏ। ଦ୍ୱିତୀୟ ପର୍ୟ୍ୟାୟରେ, କ୍ଲିନିକାଲ୍‌ ଅଧ୍ୟୟନ ବ୍ୟାପକ ହୋଇଥାଏ । ଏଥିସହିତ ଏହି ଟିକା ଯେଉଁମାନଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ସେଭଳି ଶାରୀରିକ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଦିଆଯାଇଥାଏ। ତୃତୀୟ ପର୍ୟ୍ୟାୟରେ ଟିକା ହଜାର ହଜାର ଲୋକଙ୍କୁ ଦିଆଯାଏ। ଏହା କାର୍ୟ୍ୟକ୍ଷମତା ଏବଂ ନିରାପତ୍ତା ପାଇଁ ପରୀକ୍ଷା କରାଯାଇଥାଏ।