ବୁଲା ଗାଈଗୋରୁଙ୍କ ନିୟନ୍ତ୍ରଣ ନିମନ୍ତେ ବୈଠକ ଅନୁଷ୍ଠିତ

(ଜୟନ୍ତ କୁମାର ସେଠୀ /ପୁରୀ): ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଗାଈଗୋରୁଙ୍କୁ ଉନ୍ନତ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ସହରରେ ଗାଈଗୋରୁଙ୍କ ଏଣେତେଣେ ବୁଲାବୁଲିକୁ ନିୟନ୍ତ୍ରଣ କରିବାକୁ ପୁରୀ ପୌରସଂସ୍ଥା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏସଂକ୍ରାନ୍ତୀୟ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ବଲ୍ଲଭ ପ୍ରାଙ୍ଗଣ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ ଗୋପାଳକ, ଗୋ ସୁରକ୍ଷାକାରୀ ଏବଂ ଆଦିତ୍ୟ ବାହିନୀର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ । ଗାଈଗୋରୁ ଯେପରି ବାହାରେ ବୁଲାବୁଲି ନକରନ୍ତି ଏଥିପ୍ରତି ସଂପୃକ୍ତ ଗୋପାଳକ ନଜର ରଖିବେ । ଆବଶ୍ୟକୀୟ ଗୁହାଳ କିମ୍ବା ପାଳିତ ଗାଈଗୋରୁଙ୍କ ସେବା କରିବାରେ ଅକ୍ଷମତା ପ୍ରକାଶ କଲେ ସଂପୃକ୍ତ ଗୋପାଳକ ଆସନ୍ତା ୧୫ ଦିନ ମଧ୍ୟରେ ଅବଗତ କଲେ ସେମାନଙ୍କ ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରଶାସନ ପକ୍ଷରୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ ପ୍ରତି ୨୦ ଜଣ ଗୋପାଳକ ନିମନ୍ତେ ଜଣେ ଗୋବଂଶ ସାଥୀ ନିଯୁକ୍ତ କରାଯାଇ ସଂପୃକ୍ତ ଗୋରୁଙ୍କ ବିଷୟରେ ତଥ୍ୟ ରଖାଯିବ । ଏପରିକି ସମସ୍ତ ଗାଈଗୋରୁଙ୍କ ଟ୍ରାକିଂ କରାଯାଇ କେଉଁ ପାଳକଙ୍କ ଗାଈ ବାହାରେ ବୁଲୁଛି ନଜର ରଖାଯିବ । ଆସନ୍ତା ଜାନୁୟାରୀ ପହିଲାରୁ ଗାଈଗୋରୁଙ୍କୁ ବାହାରକୁ ଛାଡୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ । ସହରରେ ୨୭୪ ଜଣ ଗୋପାଳକଙ୍କ ୨୩୩୪ ଗାଈଗୋରୁ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ପ୍ରସନ୍ନ କୁମାର ପୃଷ୍ଟି ସୂଚନା ଦେଇଥିଲେ । ଗାଈଗୋରୁଙ୍କ ଆବଶ୍ୟକୀୟ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ସ୍ବତନ୍ତ୍ର ଯତ୍ନକେନ୍ଦ୍ର ଖୋଲାଯିବ । ଗୋରୁମାନଙ୍କ ଉନ୍ନତ ଚିକିତ୍ସା ଓ ସେବା ଯୋଗାଇ ଦେବାକୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ମୃତ ଗାଈଗୋରୁଙ୍କ ଉଚିତ ସତ୍କାର କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଗୋବର ସଂଗ୍ରହ ପାଇଁ ଗୋପାଳକ ମାନଙ୍କ ସହ ଆଲୋଚନା କରାଯାଇ ପୌରସଂସ୍ଥା ପକ୍ଷରୁ ପଦକ୍ଷେପ ନିଆଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ପ୍ରସନ୍ନ କୁମାର ପୃଷ୍ଟି, ନୋଡାଲ ଅଧିକାରୀ ଡଃ ଆଲୋକ ରଞ୍ଜନ ମିଶ୍ର, ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଫିଡବ୍ୟାକ ଫାଉଣ୍ଡେସନର ଶ୍ରୀ ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।