ବିନା ଧକ୍କାରେ ଷ୍ଟାର୍ଟ ହେଉନି ପୋଲିସ ଭ୍ୟାନ

(ଅଜିତ ସାହୁ/ଜଳେଶ୍ୱର): ଧକ୍କା ନ ମାରିଲେ ଷ୍ଟାର୍ଟ ହେଉନି ପୋଲିସ ଭ୍ୟାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ସିଂଲା ଥାନାରେ । ଏହି ଥାନା ଉପରେ ନିର୍ଭର କରିଥାନ୍ତି ୫୦ କିଲୋମିଟର ଆଖ ପାଖର ଅଞ୍ଚଳବାସୀମାନେ । ସିଂଲା ଥାନାର ଏହା ହେଉଛି ଏକମାତ୍ର ଭ୍ୟାନ । ପାଟ୍ରୋଲିଂ ହେଉ ବା କୌଣସି ତଦନ୍ତ । ସବୁବେଳେ ଭ୍ୟାନଟି ଉପରେ ନିର୍ଭର କରନ୍ତି ଥାନା କର୍ମଚାରୀ । ତେବେ ଭ୍ୟାନଟି ବାହାରୁ ଚିକ୍କଣ ଦେଖାଯାଉଛି ସତ । କିନ୍ତୁ ଷ୍ଟାର୍ଟ ହେବା ପାଇଁ ମାରିବାକୁ ପଡେ ଧକ୍କା । ଅଧା ବାଟରେ ବନ୍ଦ ହୋଇଗଲେ ବି ପୋଲିସ ବାବୁମାନଙ୍କୁ ଗାଡିରୁ ଓହ୍ଲାଇ ଠେଲିବାକୁ ପଡିଥାଏ । ଦେଖନ୍ତୁ କେମିତି ଅପରାଧୀକୁ ପଛ ସିଟରେ ବସାଇ ପୋଲିସ ବାବୁ ଭ୍ୟାନଟିକୁ ପେଲି ପେଲି ଆଣୁଛନ୍ତି । ୧୯୧୩ ମସିହାରେ ସ୍ଥାପିତ ଏହି ଥାନା ଅଞ୍ଚଳରେ ଅପରାଧ ହାର ମଧ୍ୟ କିଛି କମ୍ ନୁହେଁ । ଏ ଅଞ୍ଚଳରେ ଆଇନ ଶୃଙ୍ଖଳା କ୍ଷେତ୍ରରେ ସିଂଲା ଥାନାର ଭୂମିକା ବେଶ ଗୁରୁତ୍ୱପୁର୍ଣ୍ଣ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବି । ତେବେ ସିଂଲା ଥାନାର ଏହି ଭ୍ୟାନଟି ପୂର୍ବରୁ ଅନେକ ଥର ମରାମତି ହୋଇଥିଲେ ବି ଏଯାଏ ସମସ୍ୟାର ସମାଧାନ ହୋଇପାରୁନାହିଁ । ଫଳରେ ପୋଲିସକୁ ଅନେକ ସମୟରେ ଘଟଣାସ୍ଥଳରେ ଡେରିରେ ପହଞ୍ଚିବାକୁ ପଡୁଛି । ଏନେଇ ପୂର୍ବରୁ ଅନେକ ଥର ଖବର ପ୍ରସାରିତ ହୋଇଥିଲେ ବି ଥାନାକୁ ନୂଆ ଭ୍ୟାନଟିଏ ଆସିପାରୁନାହିଁ । ସ୍ୱାଧୀନତାର ୭୪ ବର୍ଷ ପୁରିଥିଲେ ବି ଲୋକଙ୍କୁ ଜରୁରୀ ସେବା ଯୋଗାଉଥିବା ଆମ ପୋଲିସ ବିଭାଗ କେତେ ପାରିବାର ତାହାକୁ ନେଇ ସ୍ଥାନୀୟ ନେତା ମତ ରଖିଛନ୍ତି ।