ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ୫-ଟି ସଚିବ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ୫-ଟି ସଚିବ ଭି. କାର୍ତିକେୟନ୍ ପାଣ୍ଡିଆନ୍ ଆଜି ଅଚାନକ୍ ଗଞ୍ଜାମ ଗସ୍ତରେ ଆସି ହିଞ୍ଜିଳିକାଟୁ ବ୍ଲକ୍ ଅଂଚଳର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ପ୍ରତ୍ୟୁଷରେ ପୁରୁଷୋତମପୁର ନିକଟ ମା’ ତାରାତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ସହ ମନ୍ଦିରର ସେବକ ଓ ପରିଚାଳନା କମିଟିର ସଦସ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ବିଶେଷ କରି ମନ୍ଦିରର ବିକାଶ କାର୍ୟ୍ୟକୁ ଓ ସୌନ୍ଦର୍ୟ୍ୟକରଣ କାର୍ୟ୍ୟକୁ ଯେପରି ତୁରନ୍ତ ସଂପୂର୍ଣ୍ଣ କରାଯାଇ ପାରିବ ସେଦିଗରେ ଆଲୋଚନା କରିଥିଲେ । ଏହା ପରେ ୫ଟି ସଚିବ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ୨୧ଟି ପଂଚାୟତ ଓ ମ୍ୟୁନିସିପାଲିଟି ଅଧିନରେ ଥିବା ବିଦ୍ୟାଳୟ ଗୁଡ଼ିକୁ ଯାଇ ସେଠାରେ ସ୍କୁଲ କର୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଅଂଚଳବାସିନ୍ଦାଙ୍କୁ ମଧ୍ୟ ସ୍କୁଲର ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଯେଉଁଠି ଭିତିଭୂମି ବିକାଶର ଆବଶ୍ୟକତା ରହିଛି ଆଉ ଯେଉଁଠି ଖେଳ ପଡ଼ିଆର ଆବଶ୍ୟକତା ରହିଛି ତୁରନ୍ତ ସେସବୁ ପୂରଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ତାଙ୍କ ସାଥୀରେ ଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ସଚିବ ନନ୍ଦିକ, ପୁଟିଆପଦର, ଧୋବାଡ଼ି, ଶାହାପୁର, ଭାବନ୍ଧ, ବେଲଗାଁ, ଗଣ୍ଡଳା, ଦୁର୍ବନ୍ଧ, ଦୟାପଲ୍ଲୀ, କଂଚୁଡ଼ୁ, ଦାରୁଭଦ୍ର, ଶାସନଆମ୍ବଗାଁ, ସାରୁ, ପୋଚିଲିମା, ମକରଝୋଳ, ବଡ଼ଖଣ୍ଡି, ବୁରୁପଡ଼ା, ଚାନ୍ଦୁଲି, ଶିକିରି, ରାଳବ, ଖରିଡ଼ା ସମେତ ହିଞ୍ଜିଳି ପୌର ପାଳିକା ଅଧିନରେ ଥିବା ବିଦ୍ୟାଳୟ ଗୁଡ଼ିକ ବୁଲି ଦେଖିଥିଲେ । ମକରଝୋଳ ସ୍ଥିତ ୟୁପିସି ସ୍କୁଲରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଗୋପିନାଥ କହଁର, ବିଡିଓ ପ୍ରସନ୍ନ କୁମାର ପାତ୍ର, ପିଡି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ ମଧ୍ୟ ଉପସ୍ଥିତ ଥିଲେ ।