ବିଜେପିକୁ କଡ଼ା ଜବାବ ଦେଲା ବିଜେଡ଼ି

(ରିପୋର୍ଟସ ଟୁଡ଼େ) ଆଜି ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ଏକ ସମ୍ବାଦିକ ସମ୍ମିଳନୀ କରି ଜଗନ୍ନାଥଙ୍କ ଟଙ୍କା ଓ ବିଧାନସଭା ବନ୍ଦ ନେଇ ଶାସକ ଦଳକୁ ଟାର୍ଗେଟ କରିଥିଲେ। ତେବେ ଆଜି ଏହ ପ୍ରସଙ୍ଗରେ ଉତ୍ତର ରଖିଛି ବିଜେଡି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି ଯେ, ‘ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ନିରାଧାର। ଅଭିଯୋଗ ପଛରେ ରାଜନୈତିକ ଉଦ୍ଦେଶ୍ୟ ଲୁଚି ରହିଛି । କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏପରି ବିପର୍ୟ୍ୟୟକୁ ମୁକାବିଲା କରିବା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି ।’ ଏହାକୁ ନେଇ ବିଜେପି ରାଜ୍ୟ ନେତୃତ୍ୱ କାହିଁକି ଆଶଙ୍କା ପ୍ରକାଶ କରୁଛି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ର ସରକାର ମଧ୍ୟ କରୋନାକୁ ବିପର୍ୟ୍ୟୟ ଭାବେ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ଓଡିଶାରେ ଦଳମତ ନିର୍ବିଶେଷରେ ଏକାଠି ହେବା ଦରକାର। ରାଜନୈତିକ ବୟାନବାଜି ନକରି ଓଡିଶାର ସ୍ୱାର୍ଥ ପାଇଁ ଏକାଠି ହେବା ଦରକାର ବୋଲି ବିଜେଡି କହିଛି।